ଖପ୍ରାଖୋଲ: ହରିଶଙ୍କର ମହୋତ୍ସବ ସମୟରେ ଚୋରି ହୋଇଥିବା ଏକ ବାଇକକୁ ଉଦ୍ଧାର କରିବା ସହ ଖପ୍ରାଖୋଲ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧୀନ ଲଛିମାଲ ଗ୍ରାମର ନିବେଶ ଦୀପ(୧୯)। ପୋଲିସ ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳ ସୋଢା ଗ୍ରାମର ପରୀକ୍ଷିତ ବେହେରା ଗତ ୩୦ ଏପ୍ରିଲରେ ପରିବାର ସହ ହରିଶଙ୍କର ମହୋତ୍ସବକୁ ଯାଇଥିଲେ। ସେତେବେଳେ ତାଙ୍କ ପୁଅ ରୋହନ ବେହେରା ନିଜ ମୋଟରସାଇକେଲ (ଓଡ଼ି ୦୩ଏଫ ୭୨୨୨) କୁ ରାସ୍ତା କଡ଼ରେ ପାର୍କିଂ କରିଥିଲେ। ପରେ ସେମାନେ ଗାଧୋଇ ସାରି ଫେରିବା ବେଳେ ବାଇକଟି ସେଠାରୁ ଚୋରି ହୋଇଯାଇଥିବା ଦେଖିଥିଲେ । ଏନେଇ ପରୀକ୍ଷିତ ବେହେରା ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ । ଖପ୍ରାଖୋଲ ଥାନାରେ କେସ୍ ନଂ ୮୭/୨୬ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ନିବେଶ ଦୀପଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ହୋଇଥିବା ମୋଟରସାଇକେଲ ଜବତ କରିଛି। ଅଭିଯୁକ୍ତଙ୍କୁ ଧାରା ୩୦୩(୨)/୧୧୧(୨)(ବି) ବିଏନଏସ୍ ଅନୁଯାୟୀ ମାମଲା ରୁଜୁ କରି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ଜ୍ଞାତ ଥାଉ କି, ଯେଉଁ ଦିନ ହରିଶଙ୍କର ମହୋତ୍ସବରୁ ରୋହନ ବେହେରାଙ୍କ ବାଇକ ଚୋରି ହୋଇଥିଲା, ସେହି ଦିନ ରାତିରେ ତାଙ୍କର ମୃତଦେହ ଏକ କୁସୁମ ଗଛରେ ଝୁଲୁଥିବା ଅବସ୍ଥାରେ ଲରମ୍ଭା ପୋଲିସ ଉଦ୍ଧାର କରିଥିଲା। ଘଟଣାଟିକୁ ନେଇ ସେତେବେଳେ ସମଗ୍ର ଲଛିମାଲ ଅଞ୍ଚଳରେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ନା ଏକ ଯୋଜନାବଦ୍ଧ ହତ୍ୟା, ସେନେଇ ଲୋକମାନଙ୍କ ମଧ୍ୟରେ ସନ୍ଦେହ ଓ ଚର୍ଚ୍ଚା ଜୋର ଧରିଥିଲା। ଏନେଇ ଲରମ୍ଭା ଥାନାଧିକାରୀ ଭାନୁପ୍ରସାଦ ୟାଦବଙ୍କୁ ପଚାରିବାରୁ, ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଥିଲେ। ତେବେ ଘଟଣାର ଏତେ ଦିନ ପରେ ମଧ୍ୟ ଲରମ୍ଭା ପୋଲିସ ପକ୍ଷରୁ ମୃତ୍ୟୁ ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ, ଅନ୍ୟପଟେ ଖପ୍ରାଖୋଲ ପୋଲିସ ବାଇକ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏହାପରେ ରୋହନଙ୍କ ମୃତ୍ୟୁ ଓ ବାଇକ ଚୋରି ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ଅଞ୍ଚଳରେ ଚର୍ଚ୍ଚା ଆହୁରି ଜୋର ଧରିଛି।
