ପାଟନା: ବିହାରର ରାଘୋପୁରରେ ଡଙ୍ଗା ବୁଡ଼ିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି ଏବଂ ମୃତକଙ୍କ ମଧ୍ୟରେ ଅଧିକାଂଶ ନାବାଳକ-ନାବାଳିକା ଅଛନ୍ତି। ଛଅ ଜଣ ବ୍ୟକ୍ତିଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି ଏବଂ ସେମାନେ ପାଟନାର ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବୈଶାଳୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ଷା ସିଂହ କହିଛନ୍ତି ଯେ ସମସ୍ତ ମୃତକଙ୍କ ପରିଚୟ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଝିଅ ଏବଂ ୪ ଜଣ ପୁଅ ଅଛନ୍ତି। ସବୁଠାରୁ କମ୍ ବୟସର ମୃତକ ଥିଲେ ଜଣେ ୬ ବର୍ଷୀୟ ବାଳକ ଏବଂ ସବୁଠାରୁ ଅଧିକ ବୟସର ଥିଲେ ଜଣେ ୧୬ ବର୍ଷୀୟା ବାଳିକା। ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କ ପିଛା ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଏହି ଘଟଣା ପଛର କାରଣ ସମ୍ପର୍କରେ ତଦନ୍ତ ମଧ୍ୟ ଆରମ୍ଭ କରିଛି। ମଙ୍ଗଳବାର ସନ୍ଧ୍ୟାରେ ରାଘୋପୁରର ରାମପୁର ଶ୍ୟାମଚାନ୍ଦ ଗ୍ରାମ ନିକଟ ଗଙ୍ଗା ନଦୀରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଘରୋଇ ଡଙ୍ଗାରେ ପ୍ରାୟ ୨୦ ଜଣ ଲୋକ ଏକ ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ଡଙ୍ଗାଟିର ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ତାହା ଓଲଟି ପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନଦୀର ପ୍ରଖର ସ୍ରୋତ ଏବଂ ବଢ଼ୁଥିବା ଜଳସ୍ତର ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଥିଲା। କିଛି ଯାତ୍ରୀ ପହଁରି କୂଳକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ସଙ୍କଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ।

ରାଜ୍ୟ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଉଦ୍ଧାରକାରୀ ଦଳ ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସିଂହ କହିଛନ୍ତି ଯେ ତଦନ୍ତ ସମୟରେ ଘଟଣାର ପ୍ରତ୍ୟେକ ଦିଗ ଉପରେ ବିଚାର କରାଯିବ, ଯେଉଁଥିରେ ରାତି ସମୟରେ ନାଉରୀ କିପରି ଡଙ୍ଗା ଚଳାଉଥିଲା ତାହା ମଧ୍ୟ ଅନ୍ତର୍ଭୁକ୍ତ। ପ୍ରଶାସନ ପକ୍ଷରୁ ନାଉରୀର ପୃଷ୍ଠଭୂମି ଏବଂ କେଉଁ ପରିସ୍ଥିତିରେ ଉକ୍ତ ଘରୋଇ ଡଙ୍ଗାଟି ବ୍ୟବହାର କରାଯାଉଥିଲା, ସେ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ମୃତ୍ୟୁ ଘଟଣା, ବିଶେଷକରି ଅନେକ ନାବାଳକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଏବଂ ପ୍ରତ୍ୟେକ ଶୋକସନ୍ତପ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ଏହି ଘଟଣାକୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। “ଏକ୍ସ’ ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିଲେ। ସେ ରିଲିଫ୍, ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା, ଅଧିକାରୀ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି। ଯାଦବ ବୈଶାଳୀ ଜିଲ୍ଲାର ଏକ ନଦୀତଟବର୍ତ୍ତୀ ଅଞ୍ଚଳ ଥିବା ରାଘୋପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ତାଙ୍କର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
