ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଜନ୍ତର ମନ୍ତରରେ ଅନୁପ୍ରବେଶ କରିବା ଅଭିଯୋଗରେ ଅଟକ ରଖାଯିବାର ଗୋଟିଏ ଦିନ ପରେ, ବୁଧବାର ଦିନ ଦିଲ୍ଲୀର ଏକ କୋର୍ଟ “କକ୍ରୋଚ୍ ଜନତା ପାର୍ଟି’ ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ମନ୍ଦିର ମାର୍ଗ ସ୍ଥିତ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ନିକଟରେ ଦାସ ଓ ରଙ୍କାଙ୍କୁ ହାଜର କରାଯାଇଥିଲା ଏବଂ ତା’ପରେ ସେମାନଙ୍କୁ ଜେଲ୍କୁ ପଠାଯାଇଥିଲା। ଏହି ଘଟଣା ସମୟରେ ସେମାନଙ୍କ ସହ ଥିବା ଅଜିଙ୍କ୍ୟ ସିନ୍ଦେଙ୍କୁ ୫,୦୦୦ ଟଙ୍କାର ବଣ୍ଡ୍ ଦସ୍ତଖତ କରିବା ଏବଂ ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି-ଶୃଙ୍ଖଳା ଭଙ୍ଗ କରୁଥିବା କାର୍ଯ୍ୟକଳାପରେ ଅଂଶଗ୍ରହଣ ନ କରିବା ସର୍ତ୍ତରେ ଜାମିନରେ ଛାଡ଼ି ଦିଆଯାଇଥିଲା। ଜନ୍ତର ମନ୍ତରକୁ ବିକ୍ଷୋଭ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ତାଲିକାରୁ ହଟାଇବାର ଗୋଟିଏ ଦିନ ପରେ, ଅକ୍ଟୋବର ୧୩ ତାରିଖରେ ଏହାର ବନ୍ଦ ଥିବା ଗେଟ୍ ଚଢ଼ି ଭିତରକୁ ଯିବା ପରେ ସୌରଭ ଦାସ, ଆଶୁତୋଷ ରଙ୍କା ଏବଂ ଅଜିଙ୍କ୍ୟ ସିନ୍ଦେଙ୍କୁ ଅଟକ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ପୋଲିସ ସେମାନଙ୍କୁ “ପ୍ରିଭେଣ୍ଟିଭ୍ ଆରେଷ୍ଟ’ କରିଥିଲା। ଅନ୍ୟପକ୍ଷରେ, ସିଜେପିର ଆଇନଗତ ବ୍ୟାପାର ମୁଖ୍ୟ ରତ୍ନା ସିଂହ ଅଭିଯୋଗ କରିଥିଲେ ଯେ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନେତାମାନଙ୍କୁ ଓକିଲଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା। ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଯୁକ୍ତି ବାଢ଼ିଥିଲା ଯେ ଅଭିଯୁକ୍ତମାନେ ଶାନ୍ତି-ଶୃଙ୍ଖଳା ଭଙ୍ଗ କରିଛନ୍ତି ଏବଂ ସେମାନଙ୍କ ବଣ୍ଡ୍ରେ ଉଲ୍ଲେଖ ଥିବା ସର୍ତ୍ତଗୁଡ଼ିକୁ ଉଲ୍ଲଂଘନ କରିଛନ୍ତି। ପୋଲିସର କହିବାନୁସାରେ, ଅଭିଯୁକ୍ତମାନେ ବିକ୍ଷୋଭରେ ଅଂଶଗ୍ରହଣ କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ଏହି ଦୁଇଜଣ ବ୍ୟକ୍ତି ଅନ୍ୟ କେତେକ ସହଯୋଗୀଙ୍କ ସହ ମିଶି ସେଠାରେ ମୁତୟନ ଥିବା କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଜେଡିୟୁ ଜାତୀୟ କାର୍ଯ୍ୟାଳୟ ନିକଟସ୍ଥ ଏକ ଗେଟ୍ ଡେଇଁ ସେହି ଅଞ୍ଚଳରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସେୟାର କରି ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ବିକ୍ଷୋଭକାରୀମାନଙ୍କୁ “ତ୍ରିରଙ୍ଗା ଧରିଥିବା ଅସରପା’ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ ରଖାଯିବା ପୂର୍ବରୁ ସେମାନେ ସକାଳୁ ଜନ୍ତର ମନ୍ତରରେ ପ୍ରବେଶ କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ସିଜେପି ନେତା ରଙ୍କା ଏବଂ ଦାସ, କିଛି ସ୍ୱେଚ୍ଛାସେବୀଙ୍କ ସହ ମିଶି ହାତରେ ତ୍ରିରଙ୍ଗା ଧରି ପରିସର ମଧ୍ୟକୁ ପ୍ରବେଶ କରିବା ଓ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଏକ ଗେଟ୍ ଉପରକୁ ଚଢ଼ୁଛନ୍ତି। ଯେତେବେଳେ ସେଠାରେ ମୁତୟନ ପୋଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇବାକୁ ଆଗକୁ ବଢ଼ିଥିଲେ, ସେତେବେଳେ ବିକ୍ଷୋଭକାରୀମାନେ “ଭାରତ ମାତା କୀ ଜୟ’ ଏବଂ “ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ’ ଭଳି ସ୍ଲୋଗାନ୍ ଦେଇଥିଲେ। ଖବର ଅନୁଯାୟୀ, ପୋଲିସ ଯେତେବେଳେ ବିକ୍ଷୋଭକାରୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, ସେତେବେଳେ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା; ଏହା ପରେ ବିକ୍ଷୋଭକାରୀମାନଙ୍କୁ ଅଟକ ରଖାଯାଇ ସେଠାରୁ ନିଆଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ଦୀପକେ ଲେଖିଥିଲେ, “ପ୍ରତିରୋଧକୁ ଅସ୍ୱୀକାର କରାଯାଇପାରିବ ନାହିଁ’। ଏହା ମାଧ୍ୟମରେ ସେ ଜନ୍ତର ମନ୍ତରର “ନିର୍ଦ୍ଧାରିତ ବିକ୍ଷୋଭ ସ୍ଥଳ’ ମାନ୍ୟତା ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।
