ବାରିପଦା : ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଣିରେ ବୁଡି ଦୁଇ ବର୍ଷର ଏକ ଶିଶୁର ମୃତ୍ୟୁ ଘଟିଥିବାରୁ ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।ମୃତ ଶିଶୁ ଜଣକ ହେଲେ ତରାମରା ଗ୍ରାମର ରଞ୍ଜିତ ନାଏକ ଙ୍କ ଦୁଇ ବର୍ଷର ପୁଅ ଆକାଶ ନାଏକ। ସୂଚନା ଅନୁସାରେ, ବୁଧବାର ଦିନ ଘରୋଇ କାମ ପାଇଁ ରଞ୍ଜିତ ନାଏକ ନିଜ ଘର ପାଖରେ ଥିବା ଏକ ଗଢ଼ିଆରୁ ପାଣି ଆଣି କାମ କରୁଥିଲେ। ସେହି ସମୟରେ ଛୋଟ ଶିଶୁ ଆକାଶ ଗଢ଼ିଆ ନିକଟରେ ଖେଳୁଥିଲା। ପରିବାର ଲୋକଙ୍କ ଧ୍ୟାନ ଅନ୍ୟତ୍ର ଥିବା ବେଳେ, ଖେଳୁ ଖେଳୁ ସେ କେବେ ପାଣିରେ ପଡ଼ି ବୁଡି ଯାଇଥିଲା, ତାହା କାହାର ଧ୍ୟାନକୁ ଆସିନଥିଲା।
କିଛି ସମୟ ପରେ ଶିଶୁଟି ନ ଦେଖା ଯିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ପରେ ଗଢ଼ିଆ ଭିତରେ ଶିଶୁଟି ପଡ଼ିଥିବା ଦେଖି ତୁରନ୍ତ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ବାଇକ ଯୋଗେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ଆକାଶଙ୍କୁ ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ପୋଲିସ କେସ୍ ନଂ ୦୪/ ୨୦୨୬ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଅଧିକ ତଦନ୍ତ କରୁ ଥିବାର ପ୍ରକାଶ ।
