ନୂଆଦିଲ୍ଲୀ: ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି “କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ କରାଯିବାକୁ ଥିବା ବିକ୍ଷୋଭ ପୂର୍ବରୁ, ଆଜି ରାତି ୧୦ଟାରୁ କେନ୍ଦ୍ରୀୟ ଦିଲ୍ଲୀର କିଛି ଅଞ୍ଚଳରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଉଲ୍ଲେଖନୀୟ ଯେ, ଅକ୍ଟୋବର ୧୦ ତାରିଖରେ ସିଜେପି ଏବଂ କିଛି ଛାତ୍ର ସଂଗଠନ ଦ୍ୱାରା ଡକାଯାଇଥିବା ବିକ୍ଷୋଭ ପାଇଁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିନାହିଁ। ଅନୁମତି ନ ଦେବାର କାରଣ ସ୍ୱରୂପ ନୂଆଦିଲ୍ଲୀ ରେଞ୍ଜର ଯୁଗ୍ମ ପୋଲିସ କମିଶନର ନୂପୁର ପ୍ରସାଦ ବିଳମ୍ବରେ ଆବେଦନ ଦାଖଲ ଏବଂ ପୂର୍ବରୁ ସିଜେପି ଦ୍ୱାରା କରାଯାଇଥିବା ବିକ୍ଷୋଭ ସମୟରେ ନିୟମ ଉଲ୍ଲଂଘନର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, “ଆମକୁ କକ୍ରୋଚ୍ ଜନତା ପାର୍ଟିର ସହ-ଆବାହକ ସୌରଭ ଦାସଙ୍କଠାରୁ ଏକ ଆବେଦନ ମିଳିଛି। ଏହି ଆବେଦନଟି ଅକ୍ଟୋବର ୧୦ ତାରିଖରେ ଜନ୍ତର ମନ୍ତର ଠାରେ ହେବାକୁ ଥିବା ବିକ୍ଷୋଭ ସମ୍ପର୍କିତ ସୂଚନା ବାବଦରେ ଥିଲା।’ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ, ନୂଆଦିଲ୍ଲୀର ଜନପଥ-କର୍ତ୍ତବ୍ୟ ପଥ ଛକର ୪ କିଲୋମିଟର ପରିସର ମଧ୍ୟରେ ଆଜି ରାତି ୧୦ଟାରୁ ଅକ୍ଟୋବର ୧୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏହି ସେବା ବନ୍ଦ ନିଷ୍ପତ୍ତି ଅଧୀନରେ ସମସ୍ତ ପ୍ରକାରର ମୋବାଇଲ୍ ଇଣ୍ଟରନେଟ୍ ସେବା ଅନ୍ତର୍ଭୁକ୍ତ ରହିବ। ଦିଲ୍ଲୀ ପୋଲିସ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଟେଲିକମ୍ ଅପରେଟର ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ, ଜିଓ ଏବଂ ଏମଟିଏନଏଲ୍କୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ “ଟେଲିକମ୍ୟୁନିକେସନ୍ ଆକ୍ଟ, ୨୦୨୩’ ଏବଂ “ଟେଲିକମ୍ ସେବାଗୁଡ଼ିକର ଅସ୍ଥାୟୀ ନିଲମ୍ବନ ନିୟମାବଳୀ, ୨୦୨୪’ ଅଧୀନରେ ଜାରି କରାଯାଇଛି। ୫୭ଟି ଦି ନୂଆଦିଲ୍ଲୀ ଜିଲ୍ଲାର ଜନ୍ତର ମନ୍ତର ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରସ୍ତାବିତ ବିକ୍ଷୋଭକୁ ଦୃଷ୍ଟିରେ ରଖି ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଆଡ଼କୁ ଅନିୟନ୍ତ୍ରିତ ଜନସମାଗମର ଆଶଙ୍କା କରି, ପୋଲିସର ଯୁଗ୍ମ କମିଶନର (ପରିବହନ ବିଭାଗ) ଡିଅ।।ରଏମ୍ସିସିକୁ ଚିହ୍ନଟ ହୋଇଥିବା ମେଟ୍ରୋ ଷ୍ଟେସନଗୁଡ଼ିକରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିବା ପରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି। ସିଜେପି ଅକ୍ଟୋବର ୧୦ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ “ଭୋଟ୍ ଚୋରି’ ଅଭିଯୋଗ ଆଣି ଜନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ସୁରକ୍ଷାଗତ ଚିନ୍ତାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଅନେକ ବିଦ୍ୟାଳୟ ଓ କଲେଜ ନିଜର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଅନ୍ଲାଇନ୍ ମୋଡ଼କୁ ସ୍ଥାନାନ୍ତର କରିଛନ୍ତି, ଅଭିଭାବକ-ଶିକ୍ଷକ ବୈଠକର ସମୟ ପରିବର୍ତ୍ତନ କରିଛନ୍ତି ଏବଂ ଅକ୍ଟୋବର ୧୦ ପାଇଁ ଧାର୍ଯ୍ୟ ପରୀକ୍ଷାଗୁଡ଼ିକୁ ସ୍ଥଗିତ ରଖିଛନ୍ତି। ସର୍ଦ୍ଦାର ପଟେଲ ବିଦ୍ୟାଳୟ ଅଭିଭାବକମାନଙ୍କୁ ଜଣାଇଛି ଯେ ନୂଆଦିଲ୍ଲୀ ଅଞ୍ଚଳରେ ବ୍ୟାପକ ବ୍ୟାରିକେଡିଂ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଥିବା ଚିନ୍ତା ଯୋଗୁଁ ଶନିବାର ଦିନ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ଅନ୍ଲାଇନ୍ ମାଧ୍ୟମରେ ପରିଚାଳିତ ହେବ। ରଘୁବୀର ସିଂହ ଜୁନିୟର ମଡର୍ଣ୍ଣ ସ୍କୁଲ ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ଉପରେ ଆଲୋଚନା କରିବା ପାଇଁ ଶନିବାର ଦିନ ଧାର୍ଯ୍ୟ କରାଯାଇଥିବା ଅଭିଭାବକ-ଶିକ୍ଷକ ବୈଠକର ସମୟ ପରିବର୍ତ୍ତନ କରିଛି। ସ୍କୁଲ ପକ୍ଷରୁ କୁହାଯାଇଛି ଯେ ପରିବର୍ତ୍ତିତ ସମୟସୂଚୀ ସମ୍ପର୍କରେ ଅଭିଭାବକମାନଙ୍କୁ ଖୁବ୍ ଶୀଘ୍ର ଅବଗତ କରାଯିବ।
