ବାଲିଅନ୍ତା: ବୀମା ପଲିସି କରାଇଦେବା ନାଁରେ ଜାଲ୍ ରସିଦ୍ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ନକଲି ବୀମା ଏଜେଣ୍ଟକୁ ଧଉଳି ଥାନା ପୋଲିସ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭିମଟାଙ୍ଗି ଅଞ୍ଚଳ ର ଗୌରବ ପଟ୍ଟନାୟକ(୪୧) ବର୍ତମାନ ସେଣ୍ଟ୍ରାଲ୍ ଜେନେରାଲି ଲାଇଫ୍ ଇନ୍ସୁରାନ୍ସ ର ଜଣେ ଏଜେଣ୍ଟ ଏବଂ ସେ ନିଜକୁ “ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ୍ ଇନ୍ସୁରାନ୍ସ’ ର ଏକ ଏଜେଣ୍ଟ ବୋଲି ପରିଚୟ ଦେଇ ଅଭିଯୋଗକାରୀ ସନ୍ଦୀପ ସାହୁଙ୍କୁ ବୀମାରେ ଟଙ୍କା ନିବେଶ କରିବାକୁ ପ୍ରବର୍ତ୍ତାଇଥିଲା। ଅଭିଯୋଗକାରୀ ତାଙ୍କ କଥା ବିଶ୍ୱାସ କରି ବୀମା ପ୍ରିମିୟମ୍ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୬,୯୯,୧୯୨/- ଟଙ୍କା ଅଭିଯୁକ୍ତକୁ ଦେଇଥିଲେ। ବଦଳରେ ଅଭିଯୁକ୍ତ ତାଙ୍କୁ ବୀମା କମ୍ପାନୀ ନାଁରେ କିଛି ନକଲି ରସିଦ ଧରାଇ ଦେଇଥିଲା। କିଛି ମାସ ପରେ ଅଭିଯୋଗକାରୀ ବୀମା କମ୍ପାନୀ ଅଫିସକୁ ଯାଇ ବୁଝିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଟଙ୍କା ଜମା ହୋଇନାହିଁ ଏବଂ ଦିଆଯାଇଥିବା ରସିଦଗୁଡ଼ିକ ସମ୍ପୂର୍ଣ୍ଣ ଜାଲ୍ ଅଟେ। ଟଙ୍କା ଫେରାଇବାକୁ ଦାବି କରିବାରୁ ଅଭିଯୁକ୍ତ ମାତ୍ର ୧,୨୦,୦୦୦/- ଟଙ୍କା ଫେରାଇଥିଲା ଏବଂ ବାକି ଟଙ୍କା ଦେବାକୁ ଆଳ ଦେଖାଇ ଠକି ଚାଲିଥିଲା। ଏନେଇ ଅଭିଯୋଗକାରୀ ଧଉଳି ଥାନାରେ ଏତଲା ଦେଇଥିଲେ। ଧଉଳି ପୋଲିସ ତଦନ୍ତ ଆରମ୍ଭ କରି ଜାଲ୍ ରସିଦ୍, ବ୍ୟାଙ୍କ୍ ଷ୍ଟେଟମେଣ୍ଟ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ଅଭିଯୁକ୍ତର ବ୍ୟାଙ୍କ୍ ଆକାଉଣ୍ଟକୁ ଡେବିଟ୍ ଫ୍ରିଜ୍ କରିଛି। ଗତକାଲି ତା ୦୪.୧୦.୨୦୨୬ ରେ ଏକ ଚଢ଼ାଉ ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ତା’ର ହ୍ୟୁଣ୍ଡାଇ ଭର୍ନା କାରକୁ ପୋଲିସ ଜବତ କରିଥିଲା। ଗତ କାଲି ପୁନର୍ବାର ସୂଚନା ଆଧାରରେ ଫେରାର ଠକକୁ ଧଉଳି ପୁଲିସ କାବୁ କରିବାରେ ସଫଳ ହୋଇଥିଲା ଏବଂ ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର ମଧ୍ୟ କରିଛି। ତାକୁ ଗତକାଲି ରାତିରେ ଗିରଫ କରାଯାଇ ୧୫ ଦିନିଆ ରିମାଣ୍ଡ ପ୍ରାର୍ଥନା ସହ ଆଜି କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି
