କୋଲକାତା: ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ମେ ୯ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ସଦ୍ୟସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଏକ ଐତିହାସିକ ସଫଳତା ମିଳିଛି। ଭୋଟରମାନେ ରାଜ୍ୟରେ ତୃଣମୂଳ କଂଗ୍ରେସର ଶାସନ ସମାପ୍ତ କରିବା ପାଇଁ ବିଜେପିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ୨୯୪ ସଦସ୍ୟ ବିଶିଷ୍ଟ ଗୃହରେ ବିଜେପି ୨୦୦ରୁ ଅଧିକ ଆସନ ଜିତି ଆରାମରେ ସଂଖ୍ୟାଗରିଷ୍ଠତା ସୀମା ଅତିକ୍ରମ କରିଛି ଏବଂ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୨୦୨୬ ବଙ୍ଗ ନିର୍ବାଚନ ସବୁଦିନ ପାଇଁ ମନେରଖାଯିବ। “ପଶ୍ଚିମ ବଙ୍ଗରେ ପଦ୍ମ ଫୁଟିଛି! ଲୋକଙ୍କ ଶକ୍ତି ବିଜୟୀ ହୋଇଛି ଏବଂ ବିଜେପିର ସୁଶାସନ ରାଜନୀତି ବିଜୟୀ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଣାମ କରୁଛି। ଲୋକମାନେ ବିଜେପିକୁ ଏକ ଚମତ୍କାର ଜନାଦେଶ ଦେଇଛନ୍ତି ଏବଂ ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଆମ ଦଳ ପଶ୍ଚିମବଙ୍ଗର ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। ଆମେ ଏପରି ଏକ ସରକାର ପ୍ରଦାନ କରିବୁ ଯାହା ସମାଜର ସମସ୍ତ ବର୍ଗକୁ ସୁଯୋଗ ଏବଂ ସମ୍ମାନ ସୁନିଶ୍ଚିତ କରିବ ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।
