ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ପତ୍ନୀ ଓ ପିତାମାତାଙ୍କ ସହ କଥା ହୋଇଛନ୍ତି। ମଚ୍ଛର ଏକ “ଫ୍ଲାଏ-ଦୁବାଇ’ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ତାଙ୍କ ସହ-ପାଇଲଟ୍ଙ୍କ କଥିତ ପ୍ରୟାସକୁ ବିଫଳ କରିଥିଲେ ଏବଂ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇବାରେ ତାଙ୍କର ସାହସିକତା ସହାୟକ ହୋଇଥିଲା। ସରକାରୀ ସୂତ୍ର ଅନୁଯାୟୀ, ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ମୋଦୀ ମଚ୍ଛରଙ୍କ ପରିବାରକୁ କହିଥିଲେ ଯେ ସାଉଦି ଆରବର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଆହତ ପାଇଲଟ୍ଙ୍କୁ ଭାରତୀୟ ମିଶନ୍ ପକ୍ଷରୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ମଚ୍ଛରଙ୍କ ସାହସର ପ୍ରଶଂସା କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହାପୂର୍ବରୁ, ମୋଦୀ ଏହି ପାଇଲଟ୍ଙ୍କୁ ଜଣେ “ହିରୋ’ ବୋଲି ସମ୍ବୋଧିତ କରି କହିଥିଲେ ଯେ ଗୁରୁତର ଆହତ ହୋଇ ମଧ୍ୟ ତାଙ୍କ ସାହସ ଓ ଦୃଢ଼ ସଂକଳ୍ପ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇବାରେ ସାହାଯ୍ୟ କରିଥିଲା। “କ୍ୟାପଟେନ୍ ସ୍ମିତ୍ ମଚ୍ଛର ଜଣେ ହିରୋ ଅଟନ୍ତି। ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ଏବଂ ଗୁରୁତର ଆହତ ଅବସ୍ଥାରେ ମଧ୍ୟ ସେ ଅପାର ସାହସ ଓ ଅଟଳ ସଂକଳ୍ପ ପ୍ରଦର୍ଶନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିଥିଲେ ବୋଲି ମୋଦୀ “ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି। “ତାଙ୍କ ବୀରତ୍ୱ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇବାରେ ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇବାରେ ସାହାଯ୍ୟ କରିଥିଲା,’ ବୋଲି କହି ସେ ଆହୁରି ମଧ୍ୟ ଯୋଡ଼ିଥିଲେ ଯେ ଭାରତ ଏହି ପାଇଲଟ୍ଙ୍କ ପାଇଁ ଗର୍ବିତ। ବୁଧବାର ଦିନ ଦୁବାଇରୁ ତେଲ୍ ଆଭିଭ୍ ଅଭିମୁଖେ ଯାତ୍ରା କରୁଥିବା “ଫ୍ଲାଏ-ଦୁବାଇ’ ବିମାନ ଜରୁରୀକାଳୀନ ସଙ୍କେତ ପଠାଇଥିଲା। ସାଉଦି ଆରବର ଟାବୁକ୍ ସ୍ଥିତ ପ୍ରିନ୍ସ ସୁଲତାନ ବିନ୍ ଅବଦୁଲଅଜିଜ୍ ବିମାନବନ୍ଦରକୁ ଯିବା ପୂର୍ବରୁ ଏହା ୩୪,୦୦୦ ଫୁଟ୍ ଉଚ୍ଚତାରୁ ହଠାତ୍ ୧୭,୦୦୦ ଫୁଟରୁ ଅଧିକ ତଳକୁ ଖସି ଆସିଥିଲା। ଏହି ବିମାନରେ ଛୁରୀକାଘାତରେ ଗୁରୁତର ଆହତ ହୋଇ ମଧ୍ୟ ସେ ପ୍ରତିରୋଧ କରିଥିଲେ, କକ୍ପିଟ୍ର କବାଟ ଖୋଲିଥିଲେ ଏବଂ ଯାତ୍ରୀ ତଥା କର୍ମଚାରୀମାନଙ୍କୁ ଆକ୍ରମଣକାରୀକୁ କାବୁ କରିବାରେ ସକ୍ଷମ କରାଇଥିଲେ; ଫଳସ୍ୱରୂପ ଆକାଶମାର୍ଗରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇପାରିଥିଲା ବୋଲି ନେତାନ୍ୟାହୁ କହିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ମଚ୍ଛରଙ୍କ ଏହି ପଦକ୍ଷେପ ଯୋଗୁଁ ଇସ୍ରାଏଲୀ ନାଗରିକ ଓ ଅନ୍ୟ ଦେଶର ନାଗରିକଙ୍କ ସମେତ ବିମାନରେ ଥିବା ସମସ୍ତ ୧୭୪ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରିଲା। “ଅସାଧାରଣ ସାହସ ପ୍ରଦର୍ଶନ କରିଥିବାରୁ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ମୁଁ ସଲାମ୍ ଜଣାଉଛି ବୋଲି କହି ସେ ତାଙ୍କର ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ସେହି ଘଟଣା ସମୟରେ ହସ୍ତକ୍ଷେପ କରିଥିବା ଯାତ୍ରୀ ଓ କର୍ମଚାରୀମାନଙ୍କର ମଧ୍ୟ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେମାନେ “ଅସାଧାରଣ ବୁଦ୍ଧିମତ୍ତା ଓ ସାହସ’ର ପରିଚୟ ଦେଇଥିଲେ। ବିମାନଟି ଟାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ବିପଦମୁକ୍ତ କରାଯାଇଥିଲା। କ୍ନେସେଟ୍ (ଇସ୍ରାଏଲ୍ ସଂସଦ) ବାଚସ୍ପତି ଅମିର ଓହାନା ମଧ୍ୟ ମଚ୍ଛରଙ୍କ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଇସ୍ରାଏଲର ଲୋକମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ସହ-ପାଇଲଟ୍ଙ୍କ ଦ୍ୱାରା କଥିତ ଆକ୍ରମଣ ଏବଂ କକପିଟ୍ ଭିତରେ ଘଟିଥିବା ଘଟଣାକ୍ରମ ସମେତ ଏହି ଘଟଣା ସହ ଜଡ଼ିତ ପରିସ୍ଥିତିର ତଦନ୍ତ ଚାଲିଛି।
