ବାରିପଦା ; କେନ୍ଦୁଜିଆଣି ସାପ୍ତାହିକ ହାଟକୁ ବେଆଇନ ଭାବେ ଦେଶୀ ମହୁଲି ମଦ ବିକ୍ରି କରିବା ପାଇଁ ନେଉଥିବା ବେଳେ ଠାକୁରମୁଣ୍ଡା ଅବକାରୀ ବିଭାଗ ଚଢ଼ାଉ କରି ୨୪ ଲିଟର ମହୁଲି ମଦ ଓ ଗୋଟିଏ ସାଇକେଲ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନା ଅନୁଯାୟୀ, କେନ୍ଦୁଜିଆଣିରେ ସାପ୍ତାହିକ ହାଟ ହେଉଥିବାରୁ ହାଟକୁ ମହୁଲି ମଦ ନେଇ ବିକ୍ରି କରିବା ପାଇଁ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଯାଉଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା। ଏହାକୁ ଆଧାର କରି ଅବକାରୀ ବିଭାଗର କର୍ମଚାରୀମାନେ କେନ୍ଦୁଜିଆଣି ଛକ ନିକଟରେ ନଜର ରଖିଥିଲେ।
ସକାଳ ପ୍ରାୟ ୧୦ଟା ୩୦ ମିନିଟ ସମୟରେ ସନ୍ଦେହଜନକ ଭାବେ ସାଇକେଲ ଯୋଗେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅବକାରୀ କର୍ମଚାରୀମାନେ ଅଟକାଇ ତଲାସୀ କରିଥିଲେ। ତଲାସୀ ସମୟରେ ତାଙ୍କ ପାଖରେ ଥିବା ଦୁଇଟି ବ୍ୟାଗରୁ ଦୁଇଟି ଜାରକିନରେ ମୋଟ ୨୪ ଲିଟର ଦେଶୀ ମହୁଲି ମଦ ମିଳିଥିଲା। ଏହାପରେ ଅବକାରୀ ବିଭାଗ ମହୁଲି ମଦକୁ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ କରି ଅବକାରୀ ଥାନାକୁ ନେଇଥିଲା।
ଏହି ଘଟଣାରେ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାରୀପୋଷି ଗ୍ରାମର ସୁନୀଲ ମୁର୍ମୁ (୩୫)ଙ୍କ ବିରୋଧରେ ଅବକାରୀ ଥାନାରେ ୧୧୮/୨୦୨୬ ନମ୍ବରରେ ମାମଲା ରୁଜୁ କରାଯାଇଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହି ଚଢ଼ାଉରେ ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀ, ଏଏସ୍ଆଇ ଲକ୍ଷ୍ମଣ ନାୟକ, ଚନ୍ଦ୍ରକାନ୍ତ ମୁଦୁଲି ଓ ସସ୍ମିତା ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଅବୈଧ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
