କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଖଲିଗଡ଼ ଗ୍ରାମର ଯୁବକ ମାଛ ଧରିବାକୁ ଯାଇ ବେହେରା ଡ୍ୟାମ ର ଗଭୀର ପାଣି ଭିତରେ ବୁଡି ଯାଇ ନିଖୋଜ ହୋଇ ଯାଇଥିଲେ ।ଆଜି ରବିବାର ଅଗ୍ନିଶମ ବାହିନୀ ଦୀର୍ଘ ସମୟର ପରିଶ୍ରମ ପରେ ପାଣି ଭିତରୁ ଉକ୍ତ ଯୁବକଙ୍କ ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଛି ।ମୃତ ଯୁବକ ଜଣକ ହେଲେ ଖଲିଗଡ଼ର ୪୫ ବର୍ଷ ର ସାଧୁରାମ ବାଗ ।ଖବର ରୁ ପ୍ରକାଶ ଯେ, ସାଧୁରାମ ଗତକାଲି ଅପରାହ୍ନରେ ଗାଁ ନିକଟସ୍ଥ ବେହେରା ଡ୍ୟାମ କୁ ମାଛ ଧରିବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ୟ ସାଧୁରାମ ଘରକୁ ଫେରି ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ଡ୍ୟାମର ପାଣି ଭିତରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଲି ନଥିଲା। ଏନେଇ ପତ୍ନୀ ଆମପାଣି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରବିବାର ଆମପାଣି ଥାନା ପୋଲିସ ଓ କୋକସରା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଗ ଙ୍କ ନେତୃତ୍ୱରେ ହାବିଲଦାର ସୁନୀଲ ରଞ୍ଜନ ବରାଳ, କର୍ମଚାରୀ ସ୍ମୃତି ରଞ୍ଜନ ବିଶ୍ୱାଳ, ଉମାଶଙ୍କର ନାଏକ, ରାଧେଶ୍ୟମ ପ୍ରଧାନୀ, ବିଶ୍ୱଜିତ ଜେନା ପ୍ରମୁଖ ବୋଟ ଓ ଅଣ୍ଡର ୱାଟର ବିଏସେଟ ସହାୟତାରେ ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଦିନ ସାଢେ ୧୧ଟା ବେଳେ ପ୍ରାୟ ୨୫ ଫୁଟ୍ ପାଣି ଭିତରୁ ସାଧୁରାମଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହା ପରେ ନିଖୋଜ ଅଗ୍ନିଶମ ବାହିନୀ ପୋଲିସ କୁ ଶବ ହସ୍ତାନ୍ତର କରିଥିଲେ।ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ନେଇ ତଦନ୍ତ ଜାରି ରଖିଛି।
