କଳାହାଣ୍ଡି: ଶିଶୁ ହସିଲେ ଦୁନିଆଁ ହସିବ। ପ୍ରତ୍ୟେକ ଶିଶୁକୁ ଶିକ୍ଷିତ ଓ ସାକ୍ଷର କରିବା ଲାଗି ଶିକ୍ଷା ଅଧିକାର ଆଇନ ଦେଶରେ କାର୍ଯ୍ୟକାରୀ କରାଯାଉଛି ଶିଶୁର ଅନ୍ତର୍ନିହତ ବିକାଶ ଲାଗି ବିଦ୍ୟାଳୟ ସ୍ତରରେ ଚାଲିଛି ‘ସୁରଭି’ କାର୍ଯ୍ୟକ୍ରମ। ମଧ୍ୟାହ୍ନଭୋଜନ ଠାରୁ ପୋଷାକ, ପାଠ୍ୟପୁସ୍ତକ ଓ ଜୋତା ପର୍ଯ୍ୟନ୍ତ ସବୁକିଛି ମାଗଣାରେ ଯୋଗାଇ ଦିଆଯାଉଛି । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି। ମାତ୍ର ସରକାରଙ୍କ ଅନେକ ଯୋଜନା ବହୁ ସ୍ଥାନରେ କେବଳ କାଗଜ କଲମରେ ସୀମିତ ରହୁଥିବା ଦେଖାଯାଉଛି। ଅନେକ ଶିଶୁ ପରିବାରର ଦାରିଦ୍ର୍ୟ କାରଣରୁ କାନ୍ଧରେ ବସ୍ତାନି ବଦଳରେ ହାତରେ ଭିକ୍ଷା ଥାଳ ଧରି ଭିକ ମାଗୁଛନ୍ତି। ଅନେକ ଶିଶୁ ଗାଇଆଳ ପାଲଟିଥିବା ବେଳେ ବହୁ କୋମଳମତି ଶିଶୁମାନେ ରାସ୍ତାକଡ଼ରୁ ଜରି ଓ ପ୍ଲାଷ୍ଟିକ ବୋତଲ ଗୋଟାଉଛନ୍ତି । ବିଭିନ୍ନ ବିପଦପୂର୍ଣ ସ୍ଥଳରେ ଶିଶୁ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଧର୍ମଗଡ ସଦର ମହକୁମା ଠାରେ ବଜାର ସମେତ ବିଭିନ୍ନ ଗ୍ରାମରେ ଛୋଟ ଛୋଟ ପିଲା ନିଜ ପରିବାର ସହିତ କିମ୍ବା ଏକୁଟିଆ ପ୍ଲାଷ୍ଟିକ ବୋତଲ ଗୋଟାଇବା ଦେଖୁବାକୁ ମିଳିଛି। ଫଳରେ ଶିଶୁ ଅଧିକାର କ୍ଷୁଣ୍ଣ ହେଉଛି । ପଞ୍ଚାୟତ ଗୁଡିକରେ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା କମିଟି ରହିଛି; ମାତ୍ର ଏହାର ସଭ୍ୟମାନଙ୍କ ସମ୍ମୁଖରେ ପ୍ରତିଦିନ ଏହି ଘଟଣା ଘଟୁଥିଲେ ମଧ୍ୟ କେହି ଏନେଇ ପଦକ୍ଷେପ ଗ୍ରହଣ କରୁନାହାନ୍ତି।ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ କୌଣସି ପଦେକ୍ଷପ ମଧ୍ୟ ନେଉନାହାଁନ୍ତି । ଏହି ଶିଶୁ ମାନଙ୍କ ପିତାମାତା ମାନଙ୍କୁ କିଭଳି ସଚେତନ କରାଯିବ ସେ ବିଷୟରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହେଉଛି । ଫଳରେ ଶିଶୁ ସୁରକ୍ଷା ଅଭିଯାନ ଏକପ୍ରକାର ଶୀତଲ ଭଣ୍ଡାରକୁ ଚାଲିଯାଇଛି । ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟିର ଅଧିକାରୀ ଓ କର୍ମକର୍ତ୍ତା ମଧ୍ୟ ଏ ନେଇ ଦୃଷ୍ଟି ଦେଉ ନଥିବା ଭିଯୋଗ ହେଉଛି। କ୍ୱଚିତ କୌଣସି ଶିଶୁକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭାଗୀୟ ଅଧିକାରୀ ସାମାନ୍ୟ ତତ୍ପର ହୋଇପଡ଼ୁଛନ୍ତି । ନଚେତ୍ ଅଧିକାଂଶ ସମୟରେ ଏହି ବିଭାଗ କେବଳ ପ୍ରଚାର ଓ ବେନର ପୋଷ୍ଟର ସର୍ବସ୍ୱ ହୋଇପଡିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଡ଼କରେ ବୁଲୁଥିବା ଶିଶୁମାନଙ୍କ ଭବିଷ୍ୟତଃ ସୁଧାରିବା ଲାଗି ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।
