ନୂଆଦିଲ୍ଲୀ: ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ (ବିଏଲଏଫ) ଏହାର ନବଗଠିତ ମହିଳା ଶାଖା – କରିମା ଆର୍ମଡ୍ ଆସଲ୍ଟ ଡିଭିଜନ୍’ (କେଏଏଡି) – ଦ୍ୱାରା କରାଯାଇଥିବା ପ୍ରଥମ ସଶସ୍ତ୍ର ଅଭିଯାନର ଭିଡିଓ ଜାରି କରିଛି। ଏଥିରେ ଉକ୍ତ ଗୋଷ୍ଠୀର ମହିଳା ଯୋଦ୍ଧାମାନେ ଏକ ସୁରକ୍ଷିତ ଯାନ (ଆର୍ମର୍ଡ ଭେହିକଲ୍) ସହିତ ପାକିସ୍ତାନୀ ସେନାର ଏକ କାଫେଲା (କନଭୟ) ଉପରକୁ ଗୁଳି ଚଳାଉଥିବାର ଦେଖିବାକୁ ମିଳିଛି। ଏହି ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ଗୋଷ୍ଠୀ ଦାବି କରିଛି ଯେ ଏହି ଆକ୍ରମଣରେ ୯ଜଣ ପାକିସ୍ତାନୀ ସେନା କର୍ମଚାରୀ ନିହତ ହୋଇଛନ୍ତି। ଏହି ଭିଡିଓରେ ଟୁର୍ବାଟ୍ ଅଞ୍ଚଳରେ ହୋଇଥିବା ଏକ ଅଭିଯାନର ଦୃଶ୍ୟ ରହିଛି। ସେପ୍ଟେମ୍ବର ୨୨ ତାରିଖରେ ବାଲୁଚିସ୍ତାନ ପ୍ରଦେଶର “ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡର ରାଜପଥରେ ମହିଳା ଯୋଦ୍ଧାମାନେ ରାଇଫଲ୍ ଧରି “କ୍ୱିକ୍ ରେସପନ୍ସ ଫୋର୍ସ’ର ତିନୋଟି ଗାଡ଼ି ବିଶିଷ୍ଟ କାଫେଲା ଉପରକୁ ଗୁଳି ଚଳାଇଥିଲେ। ଭିଡିଓରେ ଜଣେ ମହିଳା କମାଣ୍ଡର ଅଭିଯାନ ସମ୍ପର୍କରେ ସୂଚନା ଦେଉଥିବା ଦେଖାଯାଇଛି ଏବଂ ତା’ପରେ ଯୋଦ୍ଧାମାନେ ମାତ୍ର ପାଞ୍ଚ ପାଦ ଦୂରରୁ ଆକ୍ରମଣ କରିଥିଲେ, ଯାହା ସେମାନଙ୍କର ଉଚ୍ଚମାନର ପ୍ରଶିକ୍ଷଣକୁ ପ୍ରମାଣିତ କରୁଛି। ଗୋଷ୍ଠୀର ମୁଖପାତ୍ର ମେଜର ଗୱାହରାମ୍ ବାଲୁଚ୍ ଏକ ବିବୃତିରେ କହିଛନ୍ତି ଯେ ଏହି ଆକ୍ରମଣରେ ପାକିସ୍ତାନୀ ସେନାର ଅନେକ ଗାଡ଼ି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ସେ କହିଛନ୍ତି ଯେ ମହିଳା ଶାଖାର ଏହି ଅଭିଯାନକୁ ଗୋଷ୍ଠୀର “କୋର୍ବାନ୍’ ୟୁନିଟ୍ ସମର୍ଥନ କରିଥିଲା। ସେମାନେ ଘେରାଉ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ସେନା ସହ ମୁକାବିଲା କରିବାରେ ଏବଂ ମହିଳା ଯୋଦ୍ଧାମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହାୟତା କରିବାରେ ସଫଳ ହୋଇଥିଲେ। ସେ କହିଛନ୍ତି ଯେ ଆକ୍ରମଣ ସମୟରେ “କୋର୍ବାନ୍’ ୟୁନିଟର ଯୋଦ୍ଧା ଚାକର୍ ମୁରାଦ ନିହତ ହୋଇଥିଲେ। ଏହି ସାମ୍ପ୍ରତିକ ଘଟଣାଗୁଡ଼ିକ ପାକିସ୍ତାନର ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବାଲୁଚ୍ ଆତଙ୍କବାଦୀଙ୍କ ଆକ୍ରମଣ ବୃଦ୍ଧିର ଏକ ଅଂଶ, ଯାହା ଫଳରେ ବହୁ ଜୀବନହାନି ହୋଇଛି ଏବଂ ରାଜ୍ୟ ଭିତ୍ତିଭୂମିକୁ ବ୍ୟାପକ କ୍ଷତି ହୋଇଛି। କାଡାର ନାମକରଣ କରିମା ବାଲୁଚ୍, ଜଣେ ଜଣାଶୁଣା ସ୍ୱାଧୀନତା ସମର୍ଥକ କର୍ମୀ ଏବଂ ବାଲୁଚ୍ ଛାତ୍ର ସଂଗଠନ-ଆଜାଦର ପ୍ରଥମ ମହିଳା ଅଧ୍ୟକ୍ଷାଙ୍କ ନାମରେ ରଖାଯାଇଛି, ଯିଏ ୨୦୨୦ ମସିହାରେ କାନାଡାର ଟୋରଣ୍ଟୋରେ ରହସ୍ୟମୟ ଭାବରେ ମୃତ ଅବସ୍ଥାରେ ମିଳିଥିଲେ।
