ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକର ଲଛିମାଳ ଗ୍ରାମରେ ଶୁକ୍ରବାର ଘଟିଥିବା ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚା ଓ ଭୟର ପରିବେଶ ସୃଷ୍ଟି କରିଛି। ଜଣେ ଯୁବକଙ୍କ ମୃତଦେହ କୁସମ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିବାରୁ ଘଟଣାଟି ରହସ୍ୟମୟ ରୂପ ନେଇଛି। ସୂଚନା ଅନୁଯାୟୀ, ପାଇକମାଲ ଥାନା ଅନ୍ତର୍ଗତ ଟେମରି ପଞ୍ଚାୟତର ସୋଢା ଗ୍ରାମର ପରୀକ୍ଷିତ ବେହେରାଙ୍କ ପୁଅ ରୋହନ ବେହେରା ହରିଶଙ୍କର ଚତୁର୍ଦ୍ଦଶୀ ମେଳା ଦେଖିବାକୁ ନାନ୍ଦୁପଲାରେ ତାଙ୍କ ମାମୁଘରକୁ ଆସିଥିଲେ। ଏହି ସମୟରେ ରୋହନଙ୍କ ସାଙ୍ଗର ସାଙ୍ଗ , ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲି ପଞ୍ଚାୟତର ଲଛିମାଳ ଗ୍ରାମର ନିବେଶ ଦୀପ, କାହାକୁ କିଛି ନ କହି ହରିଶଙ୍କର ଠାରୁ ରୋହନଙ୍କ ବାଇକ ନେଇ ନିଜ ଘରକୁ ଆଣିଥିଲେ । ଏନେଇ ଗୁରୁବାର ସନ୍ଧ୍ୟାରେ ରୋହନ ତାଙ୍କ ବାପା ଓ କିଛି ଲୋକଙ୍କ ସହ ଲଛିମାଳ ଗ୍ରାମକୁ ପହଞ୍ଚିଥିଲେ। ନିବେଶ ର କହିବା ଅନୁଯାୟୀ, ସେମାନେ ତାକୁ ମାଡ଼ ମାରିଥିଲେ । ପରେ ବାଇକଟିକୁ ସ୍ଥାନୀୟ ୱାର୍ଡସଭ୍ୟଙ୍କ ନିକଟରେ ରଖି ସମସ୍ତେ ନାନ୍ଦୁପଲାକୁ ଫେରୁଥିବାବେଳେ, ରୋହନ କୁଆଡେ ଚାଲିଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସକାଳେ ଜଣେ ଚାଷୀ ନିଜ ଜମିକୁ ଯାଇଥିବାବେଳେ କୁସମ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଦେହ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ରୋହନ ବେହେରା ବୋଲି ନିଶ୍ଚିତ ହୋଇଥିଲା। ଘଟଣା ସମ୍ପର୍କରେ ମୃତକଙ୍କ ବାପା ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ, ଲରମ୍ଭା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳର ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଏହା ସାଧାରଣ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ହୋଇପାରେ ବୋଲି ସନ୍ଦେହ ଜୋର ଧରିଛି। ଏନେଇ ଲରମ୍ଭା ଥାନାରେ ଏକ ଅପମୃତ୍ୟୁ ମାମଲା ଋଜୁ ହୋଇଥିବାବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନାଧିକାରୀ ଭାନୁ ପ୍ରସାଦ ୟାଦବ ସୂଚନା ଦେଇଛନ୍ତି । ସେପଟେ ଗ୍ରାମରେ ନିଶା ଟାବଲେଟ ସମ୍ପର୍କିତ ଆଶଙ୍କା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ପୋଲିସ ତଦନ୍ତ ଏବଂ ପୋଷ୍ଟମାର୍ଟମ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇବ ବୋଲି ଜଣାପଡିଛି ।
