ପୁରୀ: ଶ୍ରୀକ୍ଷେତ୍ର ବାବା ଶ୍ରୀଲୋକନାଥଙ୍କ ପୀଠରେ ବୈଶାଖ ମାସ ଶେଷ ସୋମବାର ବା ସରନ୍ତି ସୋମବାରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ସରନ୍ତି ସୋମବାର ମେଳା ମୁଖ୍ଯତ ଚାଷୀମାନଙ୍କ ପର୍ବ । ଶ୍ରୀକ୍ଷେତ୍ରର ପଞ୍ଚକୋଶୀ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ବାବା ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସହ ଚୁଡାଘଷା ଲାଗି କରିଥିଲେ । ଏହାକୁ ମଧ୍ଯ ପଞ୍ଚକୋଶୀ ଯାତ୍ରା କୁହନ୍ତି । ମନ୍ଦିର ବାହାରୁ ବେଢା ଓ ଗମ୍ଭୀରା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଜାଗର ଚକଡାରେ ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଚୁଡ଼ାଘଷା ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଥିଲା । ଏହି ଚୁଡାଘଷା ରେ ଗୁଣ୍ଡଚୁଡା, ଭଲ ଘିଅ,ନଡିଆ, ଚୁଡାଘଷା ମସଲା, ଗୁଡ ବା ଚିନି,ଗୋଲମରିଚ ଆଦି ଦ୍ରବ୍ଯ ମିଶ୍ରିତ କରି ବଡତାଟରେ ଚୁଡା ଘଷି ଭୋଗ ଅର୍ପଣ କରିଥିଲେ । ଓମ ନମଃ ଶିବାୟ ଧ୍ୱନିରେ ଲୋକନାଥଙ୍କ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବାବା ଶ୍ରୀଲୋକନାଥଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତୀ,ମଇଲମ,ସୂର୍ଯ୍ୟ ପୂଜା ସହ ସମସ୍ତ ନୀତିକାନ୍ତି ପରେ ସର୍ବସାଧାରଣ ଦର୍ଶନ କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ । ପାର୍ବତୀ ସାଗରରେ ଭକ୍ତ ମାନେ ପାଦ ଧୋଇବା ପରେ ବେଲପତ୍ର, କଦଳୀ, ଚୁଡା, ନଡିଆ ଭୋଗଲାଗି କରିଥିଲେ ।

ଭକ୍ତମାନେ ଦୀପ ଜାଳିବା ସହ ନିଜ ନିଜର ମନସ୍କାମନା ପୂରଣ କରିବା ପାଇଁ ବାବା ଶ୍ରୀଲୋକନାଥଙ୍କୁ ପ୍ରାର୍ଥନା କରୁଥିଲେ । ବାବା ଶ୍ରୀଲୋକନାଥଙ୍କୁ ଦର୍ଶନ ପରେ ଭକ୍ତମାନେ ଭକ୍ତି ଭାବନାରେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଜାଗର ପଦାରେ କଦଳୀ, ନଡିଆ, ବେଲପତ୍ର,ଫୁଲ ପସରା , ରୂପ ଦୋକାନ ,ସମେତ ପିଲାମାନଙ୍କ ଖେଳଣା, ଘର ସାମଗ୍ରୀ ସରଞ୍ଜାମ, ଦହିବରା, ଚାଟ, ଦୋକାନ ମାନଙ୍କରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଟଙ୍କତୋରାଣୀ ବଣ୍ଟନ ,ଦହିସର୍ବତ, ଲେମ୍ବୁ ପାଣି ଓ ପାଣି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ତୃଷ୍ଣା ମେଣ୍ଟାଇବା ସହ ଆଶ୍ୱସ୍ତି ଅନୁଭବ କରି ସ୍ୱେଚ୍ଛାକୃତ ସେବା ପାଇଁ ପ୍ରଶଂସା କରିବା ସହ ସାଧୁବାଦ ଜଣାଉଥିଲେ । ଶ୍ରୀଲୋକନାଥଙ୍କ ମନ୍ଦିର ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ସମସ୍ତ ଶୃଙ୍ଖଳିତ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଥିଲା ।
