କଲମ୍ବୋ: ମଙ୍ଗଳବାର ଦିନ ଶ୍ରୀଲଙ୍କାର ଏକ କୋର୍ଟ ୨୦୧୯ ଇଷ୍ଟର ବୋମା ବିସ୍ଫୋରଣ ଘଟଣାରେ ୧୪ ଜଣ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର ଭଳି ଅଭିଯୋଗ ରହିଥିଲା। ବିସ୍ଫୋରଣରେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୋଗରେ ମୋଟ ୨୪ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ, ୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ଏବଂ ଅନ୍ୟ ଜଣେ କେବଳ କିଛି ଅଭିଯୋଗ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ଦଣ୍ଡାଦେଶ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ୨୦୧୯ ମସିହା ଅପ୍ରେଲ ୨୧ ତାରିଖରେ, ଶ୍ରୀଲଙ୍କା ଇତିହାସରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣରେ ଆତ୍ମଘାତୀ ବୋମା ଆକ୍ରମଣକାରୀମାନେ ତିନୋଟି ବିଳାସପୂର୍ଣ୍ଣ ହୋଟେଲ ଏବଂ ତିନୋଟି ଚର୍ଚ୍ଚକୁ ଟାର୍ଗେଟ କରିଥିଲେ। ପ୍ରାରମ୍ଭରେ “ଇସଲାମିକ୍ ଷ୍ଟେଟ୍’ ଏହି ଆକ୍ରମଣ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲା, କିନ୍ତୁ ତଦନ୍ତକାରୀମାନେ କହିଛନ୍ତି ଯେ ଏହା ଏକ ସ୍ଥାନୀୟ ଇସଲାମୀ ଗୋଷ୍ଠୀ ଦ୍ୱାରା ଯୋଜନାବଦ୍ଧ ଓ କାର୍ଯ୍ୟକାରୀ କରାଯାଇଥିଲା। ଏହି ବୋମା ବିସ୍ଫୋରଣ ଦେଶର ଇତିହାସରେ ସବୁଠାରୁ ମାରାତ୍ମକ ଆକ୍ରମଣ ଥିଲା, ଯେଉଁଥିରେ ୪୫ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୨୭୯ ଜଣ ଲୋକ ପ୍ରାଣ ହରାଇଥିଲେ। ମଙ୍ଗଳବାରର ରାୟ ଏହି ବିସ୍ଫୋରଣ ସହ ଜଡିତ ତିନୋଟି ପ୍ରମୁଖ ବିଷୟ ମଧ୍ୟରୁ ଗୋଟିଏର ସମାଧାନ କରିଛି। ଦ୍ୱିତୀୟ ମାମଲାରେ, ଚଳିତ ବର୍ଷ ଆରମ୍ଭରେ ଏକ କୋର୍ଟ ପୂର୍ବତନ ପୋଲିସ୍ ମୁଖ୍ୟ ପୁଜିଥ୍ ଜୟସୁନ୍ଦରା ଏବଂ ସେତେବେଳର ପ୍ରତିରକ୍ଷା ସଚିବ ହେମାସିରି ଫର୍ଣ୍ଣାଣ୍ଡୋଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଆକ୍ରମଣର ସମ୍ଭାବନା ନେଇ ସତର୍କ ସୂଚନା ପାଇବା ସତ୍ତ୍ୱେ ଏହାକୁ ରୋକିବାରେ ବିଫଳ ହେବା କାରଣରୁ ସେମାନଙ୍କୁ ଏହି ଦଣ୍ଡ ଦିଆଯାଇଥିଲା।
