ବାଲିଗୁଡ଼ା: ଲାଗିଲା କାଳିଆ ଡୋରୀ । ଘୋଷ ଯାତ୍ରା ପାଇଁ ବାହାରିଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ବନାଞ୍ଚଳରୁ ପୁରୀ ଅଭିମୁଖେ ବାହାରିଛି ରଥ ନିର୍ମାଣ ପାଇଁ ୪୦ ଫୁଟ ଲମ୍ବର ୨୩ ଖଣ୍ଡ ଧଉରା କାଠ । କନ୍ଧମାଳ ଜିଲ୍ଲାପାଳ ହରିଶ୍ ବିଶି, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଏସଡିପିଓ ସୁଭମ୍ ଭୋଷଲେ,ଡିଏଫ୍ଓ ଘନଶ୍ୟାମ ମହାନ୍ତଙ୍କ ସମେତ ସମସ୍ତ ବନ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତିରେ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଜାର୍ଚ୍ଚନା କରି କାଠ ବୋଝେଇ ଟ୍ରଲରକୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାଛୋଟି ନେଇ ବିଦାୟ ଦେଇଛନ୍ତି ଅଞ୍ଚଳବାସୀ । ପ୍ରଥମଥର ପାଇଁ କନ୍ଧମାଳର ବାଲିଗୁଡ଼ା ବନଖଣ୍ଡରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ କାଠ ପ୍ରେରଣ କରିବାର ସୁଯୋଗ ମିଳିଥିବାରୁ ଆମେ ଧନ୍ୟ । ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ଆମକୁ ଏହି ସୌଭାଗ୍ୟ ମିଳିଥିବାରୁ ଆମ ଜୀବନ ଧନ୍ୟ ହୋଇଗଲା ବୋଲି କହିଛନ୍ତି ଜିଲ୍ଲାପାଳ, ଡିଏଫ୍ଓଙ୍କ ସମେତ ଅଞ୍ଚଳବାସୀ । ସେପଟେ ପ୍ରଥମଥର ପାଇଁ ବାଲିଗୁଡ଼ା ଅଞ୍ଚଳର ଘୋଷ ଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
