ଇସଲାମାବାଦ: ପାକିସ୍ତାନ ପୋଲିସ ପଞ୍ଜାବ ପ୍ରଦେଶର ରାଜଧାନୀ ତଥା ପୂର୍ବ ସହର ଲାହୋରସ୍ଥିତ ଘରୁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ରବିବାର ଦିନ ହୋଇଛି, ଯାହା ଖାନଙ୍କ ଦଳ “ପାକିସ୍ତାନ ତେହରିକ-ଇ-ଇନସାଫ୍’ ଦ୍ୱାରା ତାଙ୍କ ମୁକ୍ତି ଦାବିରେ ସେପ୍େଟମ୍ବର ୨୭ରେ ଆୟୋଜିତ ହେବାକୁ ଥିବା ବିକ୍ଷୋଭ ଶୋଭାଯାତ୍ରାର ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ ଘଟିଛି। ଲାହୋରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ଗିରଫଦାରୀକୁ ନିଶ୍ଚିତ କରିଛନ୍ତି କିନ୍ତୁ ଅଧିକ ବିବରଣୀ ଦେଇନାହାନ୍ତି। ଲାହୋରର ଡେପୁଟି କମିଶନର ପଞ୍ଜାବର “ମେଣ୍ଟେନାନ୍ସ ଅଫ୍ ପବ୍ଲିକ୍ ଅର୍ଡର’ଆଇନ୍ ଅଧୀନରେ ଅଲିମା ଖାନଙ୍କୁ ୩୦ ଦିନ ପାଇଁ ଅଟକ ରଖିବାକୁ ଏକ ଆଦେଶ ଜାରି କରିଥିଲେ; ଏହି ଆଦେଶର ଏକ ନକଲ “ଅଲ୍ ଜଜିରା’ ଦେଖିବାକୁ ପାଇଥିଲା। ଏହି ଆଇନ୍ କର୍ତ୍ତୃପକ୍ଷଙ୍କୁ ଜନଶୃଙ୍ଖଳା କିମ୍ବା ସୁରକ୍ଷା ପାଇଁ ଆବଶ୍ୟକ ମନେହେଲେ କୌଣସି ବ୍ୟକ୍ତିଙ୍କୁ “ପ୍ରିଭେଣ୍ଟିଭ୍ ଡିଟେନସନ୍’ (ପ୍ରତିଷେଧକମୂଳକ ଅଟକ)ରେ ରଖିବାକୁ ଆଦେଶ ଦେବାର କ୍ଷମତା ପ୍ରଦାନ କରିଥାଏ। ତାଙ୍କ ଓକିଲ ରାଣା ମୁଦାସର ଉମର “ଏକ୍ସ’ (ଟ୍ୱିଟର)ରେ ଏକ ପୋଷ୍ଟ କରି କହିଛନ୍ତି, “ଅଲିମା ଖାନ ସକାଳେ ଡ୍ରାଇଭରଙ୍କ ସହ ଘରୁ ବାହାରିଥିବା ବେଳେ ପୋଲିସ ତାଙ୍କୁ ବେଆଇନ ଭାବେ ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି।’ “ଲାହୋରରେ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ଅଲିମା ଖାନଙ୍କୁ ଜାମିନ୍ ମିଳିସାରିଛି। ତାଙ୍କୁ କେଉଁ ମାମଲାରେ, କେଉଁ ସ୍ଥାନରେ କିମ୍ବା କେଉଁ ପୋଲିସ ଷ୍ଟେସନରେ ରଖାଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ଆଇନସମ୍ମତ ନୁହେଁ। ଏହା ଏକ ବେଆଇନ ଗିରଫଦାରୀ। ଏହା କାପୁରୁଷତା ଏବଂ ପରିସ୍ଥିତିକୁ ଅଧିକ ଖରାପ କରିବା ପାଇଁ ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ ବୋଲି ପିଟିଆଇ ମୁଖପାତ୍ର ଶେଖ୍ ୱାକାସ୍ ଆକ୍ରମ୍ ‘ଏକ୍ସ’ (ଢ) ରେ ପୋଷ୍ଟ କରିଛନ୍ତି। ସେ ୭୦ ବର୍ଷ ବୟସ୍କା ମହିଳାଙ୍କ ବିଷୟରେ କହିଛନ୍ତି ଯେ, ଜଣେ କାରାଗାରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭଉଣୀଙ୍କୁ ତାଙ୍କ ଘର ସାମ୍ନାରୁ ବେଆଇନ ଭାବେ ଗିରଫ କରାଯାଇଛି; କାରଣ ସେ ନିଜ ଭାଇଙ୍କ ବେଆଇନ ଅଟକ, ଏକାକୀ କାରାବାସ (ଏବଂ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବା ବିଷୟରେ ଚୁପ୍ ରହିବାକୁ ମନା କରିଦେଇଥିଲେ। ୭୩ ବର୍ଷୀୟ ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି। ତାଙ୍କ ଦଳ ଅନୁଯାୟୀ, ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବିଭିନ୍ନ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ସେଥିମଧ୍ୟରୁ ଗୋଟିଏ ବ୍ୟତୀତ ଅନ୍ୟ ସମସ୍ତ ମାମଲା ଅପିଲ୍ ପରେ ସ୍ଥଗିତ କିମ୍ବା ଖାରଜ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା, ବିଶେଷକରି ତାଙ୍କ ଡାହାଣ ଆଖିର ସ୍ଥିତି ନେଇ ଚିନ୍ତା ଯୋଗୁଁ ତାଙ୍କ ମୁକ୍ତି ଦାବିରେ ପିଟିଆଇ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଛି।
