ଭୁବନେଶ୍ୱର: ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ରବିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଯେ, “ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ୍, ୨୦୨୬’କୁ ରଦ୍ଦ କରିବା ପାଇଁ ଏକ ସଂକଳ୍ପ ପାରିତ କରିବା ଉଦ୍ଦେଶ୍ୟରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ। ଏହି ପ୍ରସଙ୍ଗରେ ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଚିଠି ଲେଖିଥିବା ପଟ୍ଟନାୟକ କହିଛନ୍ତି ଯେ, ଏହି ସଂଶୋଧନ ରାଜ୍ୟର ଖଣିଜ ସମ୍ପଦ ଉପରେ ଥିବା ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଏବଂ ଏହା ବିରୁଦ୍ଧରେ ଏକ ସର୍ବସମ୍ମତ ସଂକଳ୍ପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ନିଜର ସଦ୍ୟତମ ଚିଠିରେ ପଟ୍ଟନାୟକ କହିଛନ୍ତି, “ସଦନର ନେତା ଭାବରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ଏବଂ ଗଗଊଜ ସଂଶୋଧନକୁ ରଦ୍ଦ କରିବା ପାଇଁ ଏକ ସର୍ବସମ୍ମତ ସଂକଳ୍ପ ଆଣିବା ଆପଣଙ୍କର ନୈତିକ ଦାୟିତ୍ୱ। ଏହା ଦ୍ୱାରା ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରାଜ୍ୟର ସାମ୍ବିଧାନିକ ଅଧିକାର ପୁନଃ ପ୍ରତିଷ୍ଠିତ ହେବ ଏବଂ ଓଡ଼ିଶାର ସ୍ୱାର୍ଥ ରକ୍ଷା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
