ଭୋପାଳ: ଶନିବାର ଭୋର ସମୟରେ ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଏକ କାର୍ ପାଣି ଭର୍ତ୍ତି ଡ୍ରେନ୍ ଭିତରକୁ ଖସିପଡ଼ିବାରୁ ପରିବାରର ୭ ଜଣ ସଦସ୍ୟଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି।। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି। ପୋଲିସ୍ କହିଛି ଯେ, ତୀର୍ଥଯାତ୍ରା ସାରି ଫେରୁଥିବା ସମୟରେ ନାଲଖେଡା ସହରସ୍ଥିତ ବଗଳାମୁଖୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପାଣିରେ ବୁଡ଼ି ରହିଥିବା ଏକ କଲଭର୍ଟ (ଛୋଟ ପୋଲ) ଉପରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ବଡ଼ ଡ୍ରେନ୍ ଭିତରକୁ ଖସିପଡ଼ିଥିଲା, ଫଳରେ ସେମାନେ ଭିତରେ ଫସି ରହିଯାଇଥିଲେ। ମୃତକଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ଶ୍ରଦ୍ଧାଳୁ ଥିବାବେଳେ ଚାଳକ ଜଣକ ସ୍ଥାନୀୟ ଏକ ଟ୍ରାଭେଲ୍ ଏଜେନ୍ସିର କର୍ମଚାରୀ ଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ପ୍ରାୟ ୪ ଇଞ୍ଚ ବର୍ଷା ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଗତକାଲି ରାତିରୁ ଲଗାତାର ବର୍ଷା ଯୋଗୁଁ ବଗଳାମୁଖୀ ମନ୍ଦିର ନିକଟସ୍ଥ ଡ୍ରେନ୍?ଟି ଉଛୁଳି ପଡ଼ୁଥିଲା ଏବଂ ମନ୍ଦିରକୁ ଯିବା ପାଇଁ କେବଳ ଗୋଟିଏ କଲଭର୍ଟ ଅତିକ୍ରମ କରିବାକୁ ପଡ଼ିଥାଏ। ନାଲଖେଡା ପୋଲିସ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଧିକାରୀମାନେ କହିଛନ୍ତି, “ଘଟଣା ବିଷୟରେ ଜାଣିବା ପରେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଏକ ମିଳିତ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତକମାନେ ହେଲେ ଶିବପ୍ରସାଦ ବେହେରା, ରୋଜାଲିନ୍ ବେହେରା, ରିତାରାଣୀ ବେହେରା, ଜ୍ଞାନେନ୍ଦ୍ର ବେହେରା, ସାଇ ସ୍ୱର୍ଣ୍ଣପ୍ରଭା ବେହେରା, କୃଷ୍ଣା ରାଜବୀର ଓ ସାଇ ସ୍ୱସ୍ତିକ ବେହେରା। ତେବେ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଜିଲ୍ଲାପାଳ ଶେର୍ ସିଂହ ମୀନା କହିଛନ୍ତି, “ମୃତଦେହଗୁଡ଼ିକୁ ଉଦ୍ଧାର କରିବା ପରେ ଦଉଡ଼ି ସାହାଯ୍ୟରେ କାରଟିକୁ ବାହାରକୁ ଅଣାଯାଇଛି। ଏକ ମାମଲା ରୁଜୁ କରାଯାଇଛି ଏବଂ କାରଟି ପୋଲ ଉପରୁ ଖସିଥିଲା।’ ଆଗର ମାଲୱାର ପୋଲିସ୍ ଅଧୀକ୍ଷକ ଦିଲୀପ ସୋନି ଏହି ଘଟଣା ଓ ଆଠ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମୃତକଙ୍କ “ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ ଏବଂ ମୃତଦେହଗୁଡ଼ିକୁ ଉଚିତ୍ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବା ସୁନିଶ୍ଚିତ କରନ୍ତୁ। ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ମୁଁ ଗଭୀର ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ମୃତକଙ୍କ ଆତ୍ମାର ସଦ୍ଗତି କାମନା କରୁଛି, ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ ଏବଂ ମୃତଦେହଗୁଡ଼ିକୁ ଉଚିତ୍ ସମ୍ମାନର ସହ ଓଡ଼ିଶାକୁ ଫେରାଇ ଆଣିବା ସୁନିଶ୍ଚିତ କରନ୍ତୁ। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଦୁଃଖଦ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ମଧ୍ୟପ୍ରଦେଶରେ ଘଟିଥିବା ସେହି ହୃଦୟବିଦାରକ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ, ଯେଉଁଥିରେ ୮ ଜଣ ଓଡ଼ିଆ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ଏବଂ ଦିବଂଗତ ଆତ୍ମାମାନଙ୍କର ସଦ୍ଗତି କାମନା କରୁଛି, ବୋଲି ସେ “ଏକ୍ସ’ରେ ପୋଷ୍ଟ କରିଛନ୍ତି। ଭୁବନେଶ୍ୱରରେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। “ଓଡ଼ିଶା ପରିବାର’ ହେଉଛି ଏକ ସରକାରୀ ସଂସ୍ଥା ଯାହା ରାଜ୍ୟ ବାହାରେ ବାସ କରୁଥିବା ଓଡ଼ିଆମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଗଠନ କରାଯାଇଛି। ଶ୍ରୀ ପଣ୍ଡା କହିଛନ୍ତି, “ଆମର ମୁଖ୍ୟ ଶାସନ ସଚିବ ପୂର୍ବରୁ ହିଁ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିସାରିଛନ୍ତି ଏବଂ ଓଡ଼ିଆ ପର୍ଯ୍ୟଟକମାନଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି।’
