ଜମ୍ମୁ: ଗୁରୁବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାର ଏକ ଦୁର୍ଗମ ଓ ଉଚ୍ଚ ପାର୍ବତ୍ୟ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ଅଭିଯାନରେ ପାକିସ୍ତାନ-ଭିତ୍ତିକ “ଜୈଶ-ଏ-ମହମ୍ମଦ’ ସହ ଜଡିତ ଥିବା ସନ୍ଦେହ କରାଯାଉଥିବା ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ମାଜାଲ୍ଟାର ବ୍ରାଟାଲ ସୋହାନ ଏବଂ ଖୁବ୍ୱାନ୍ ଅଞ୍ଚଳରେ ଅବିରତ ବର୍ଷା ସତ୍ତ୍ୱେ ସେନା, ପୋଲିସ ଏବଂ ସିଆରପିଏଫ୍ର ମିଳିତ ଅଭିଯାନ ଜାରି ରହିଥିଲା। ଏହି ଅଭିଯାନରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁକୁ ସେନା ନିଶ୍ଚିତ କରିଛି। ମଧ୍ୟରାତ୍ରିରେ ଗୁଇନ୍ଦା ସୂଚନା ଆଧାରରେ କରାଯାଇଥିବା ଏକ ମିଳିତ ଅଭିଯାନ ସମୟରେ, ଉଧମପୁରର ବ୍ରାଟାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ପ୍ରତିକୂଳ ପାଣିପାଗ, ଦୁର୍ଗମ ଭୂ-ଭାଗ ଏବଂ କମ୍ ଦୃଶ୍ୟମାନତା ସତ୍ତ୍ୱେ ‘ହ୍ୱାଇଟ୍ ନାଇଟ୍ କର୍ପସ୍’, ପୋଲିସ ଏବଂ ସିଆରପିଏଫ୍ ଯବାନମାନେ ଏକ ଲକ୍ଷ୍ୟ-ଭିତ୍ତିକ ଆତଙ୍କବାଦ-ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ, ଯାହା ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଅଭିଯାନ ଏବେ ମଧ୍ୟ ଜାରି ରହିଛି ଏବଂ ସେହି ଅଞ୍ଚଳରେ ଖୋଜାଖୋଜି ଓ ନଜର ରଖିବା କାର୍ଯ୍ୟ ଚାଲିଛି। ଅନ୍ୟ କୌଣସି ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ଓ ମୁକାବିଲା କରିବା ପାଇଁ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି ବୋଲି ଜମ୍ମୁ-ଭିତ୍ତିକ “ହ୍ୱାଇଟ୍ ନାଇଟ୍ କର୍ପସ୍’ “ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛି। ଅଧିକାରୀମାନେ କହିଛନ୍ତି ଯେ ଗତ ସପ୍ତାହରେ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଏକ ଆତଙ୍କବାଦୀ ଗୋଷ୍ଠୀର ଗତିବିଧି ଦେଖିବାକୁ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ସେମାନଙ୍କୁ ଖୋଜୁଥିଲେ। ବୁଧବାର ରାତି ପ୍ରାୟ ୯ଟା ସମୟରେ ସୁରକ୍ଷା ବାହିନୀ ନୂତନ ସୂଚନା ପାଇବା ପରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ, ଯାହା ଫଳରେ ପ୍ରାରମ୍ଭିକ ଯୋଗାଯୋଗ ଆରମ୍ଭ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଅପରେସନ ଆରମ୍ଭ ହେବାର କିଛି ସମୟ ପରେ କିଛି ରାଉଣ୍ଡ ଗୁଳିଚାଳନା ଏବଂ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା, କିନ୍ତୁ ଗୁରୁବାର ସକାଳେ ଅଞ୍ଚଳ ପ୍ରାୟତଃ ଶାନ୍ତ ରହିଥିଲା। ଆତଙ୍କବାଦୀମାନେ ଘେରାବନ୍ଦୀ ଭାଙ୍ଗିବାକୁ ଚେଷ୍ଟା କରି ପ୍ରବଳ ଗୁଳିଚାଳନା କରିଥିଲେ। ସେମାନେ କହିଛନ୍ତି ଯେ ଶେଷ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ସେହି ଅଞ୍ଚଳକୁ ସଶକ୍ତ ଫୋର୍ସ ପଠାଯାଇଥିଲା ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିଲା।
