ନାଗପୁର: କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦିପକେ ବୁଧବାର ଦିନ ଅଭିଯୋଗ କରିଛନ୍ତି ଯେ ଗତ ୮୦ ବର୍ଷ ଧରି ଭାରତରେ ଆଦିବାସୀ ବିଦ୍ୟାଳୟଗୁଡ଼ିକ ସରକାରୀ ଉଦାସୀନତାର ଶିକାର ହୋଇଆସୁଛି। ସେ ଘୋଷଣା କରିଛନ୍ତି ଯେ ତାଙ୍କ ସଂଗଠନ ସେପ୍େଟମ୍ବର ୧୭ରୁ ରାଜ୍ୟର ଗଡଚିରୋଲିରୁ “ଆଦିବାସୀ ସ୍କୁଲ୍ ଠିକ୍ କରୋ’ (ଆଦିବାସୀ ବିଦ୍ୟାଳୟଗୁଡ଼ିକୁ ସୁଧାରନ୍ତୁ) ଅଭିଯାନ ଆରମ୍ଭ କରିବ। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦିପକେ କହିଛନ୍ତି ଯେ ଆଦିବାସୀ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଭେଦଭାବ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଅଭିଯାନର ଲକ୍ଷ୍ୟ। ଗୋଟିଏ ମାସ ପୂର୍ବେ, ଉଔଚ “ସ୍କୁଲ୍ ଠିକ୍ କରୋ’ ନାମକ ଏକ ସର୍ବଭାରତୀୟ ଅଭିଯାନ ଆରମ୍ଭ କରିଥିଲା, ଯାହାର ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତିରେ ଉନ୍ନତି ଆଣିବା। ଦିପକେ କହିଛନ୍ତି, “ଗତ ୮୦ ବର୍ଷ ମଧ୍ୟରେ ସମସ୍ତ ସରକାର ଭାରତର ଆଦିବାସୀ ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ଅବହେଳା କରିଆସିଛନ୍ତି। ତେଣୁ, ଆମେ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରୁ ‘ଆଦିବାସୀ ସ୍କୁଲ୍ ଠିକ୍ କରୋ” ଅଭିଯାନ ଆରମ୍ଭ କରୁଛୁ।’ ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ଉଔଚ ପ୍ରତିନିଧିମାନେ ଆଦିବାସୀ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିବେ ଏବଂ ସେଠାକାର ସୁବିଧା ଓ ଭିତ୍ତିଭୂମି ଯାଞ୍ଚ କରିବେ। ସିଜେପି ସଂଯୋଜକ କହିଛନ୍ତି, “ପ୍ରାୟ ସମସ୍ତ ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରିଆସିଛନ୍ତି… ରାଜନୈତିକ ଦଳଗୁଡ଼ିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଜିଲ୍ଲାରେ ନିଜ ଦଳୀୟ କାର୍ଯ୍ୟାଳୟ ନିର୍ମାଣ କରୁଛନ୍ତି, କିନ୍ତୁ ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକୁ ଦେବା ପାଇଁ ସେମାନଙ୍କ ପାଖରେ ପାଣ୍ଠି ନାହିଁ, ଯାହା ମୁଖ୍ୟତଃ ଭଡ଼ା ଘରେ ଚାଲିଥାଏ।’ ଦିପକେ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ଉପରେ ଧ୍ୟାନ ଦେବାକୁ ଆହ୍ୱାନ ଦେଇ କହି “ଅନେକ ଆଦିବାସୀ ଛାତ୍ରଛାତ୍ରୀ ସାପ କାମୁଡ଼ାରେ ପ୍ରାଣ ହରାଉଛନ୍ତି। କିନ୍ତୁ ଏହି ମୃତ୍ୟୁ ଘଟଣା ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରୁନାହିଁ। ଯଦି ଏହି ମୃତ୍ୟୁ ଘଟଣା ପୁଣେ କିମ୍ବା ମୁମ୍ବାଇରେ ଘଟିଥାନ୍ତା, ତେବେ ସାରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥାନ୍ତା ବୋଲି ବୋଲି ସେ କହିଥିଲେ। ଗତ ଦୁଇ ମାସ ମଧ୍ୟରେ ମଧ୍ୟପ୍ରଦେଶର ଏକ ଆଦିବାସୀ ଅଞ୍ଚଳ ବାଲାଘାଟରେ ୩୦ରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ସେ କହିଥିଲେ। ତାଙ୍କ କହିବା ଅନୁଯାୟୀ, ମୃତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପରିବାରକୁ ଉଚିତ୍ କିମ୍ବା ସମ୍ମାନଜନକ କ୍ଷତିପୂରଣ ମଧ୍ୟ ମିଳୁନାହିଁ। ରାଜସ୍ଥାନରେ ମୃତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପରିବାରକୁ ଛେଳି ଦିଆଯାଇଥିବା ବେଳେ ମଧ୍ୟପ୍ରଦେଶରେ ୪ ଲକ୍ଷ ଟଙ୍କା ଦିଆଯାଇଥିଲା ବୋଲି ସେ ଦାବି କରିଥିଲେ। ଦିପକେ “ଏକଲବ୍ୟ ଆଧୁନିକ ଆବାସିକ ବିଦ୍ୟାଳୟ’ ସମ୍ପର୍କରେ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଏହି ଧରଣର ୭୨୦ଟି ବିଦ୍ୟାଳୟ ମଧ୍ୟରୁ ୪୭୭ଟି କାର୍ଯ୍ୟକ୍ଷମ ନୁହେଁ। ଏହି ଆଦିବାସୀ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଥିଲେ। ଉଚ୍ଚଶିକ୍ଷାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମଲେଖା ହାର ମାତ୍ର ୨୨.୮ ପ୍ରତିଶତ ରହିଛି ବୋଲି ସେ କହିଥିଲେ ଏବଂ ଯୋଡ଼ିଥିଲେ ଯେ ମାତ୍ର ୧୩୦ ଜଣ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀ ଆଇଆଇଟିରେ ନାମ ଲେଖାଇବାକୁ ସକ୍ଷମ ହୋଇଛନ୍ତି। “ଆଇଆଇଟିରେ ନାମଲେଖା ଏବଂ ଶିକ୍ଷକ ସଂଖ୍ୟା କାହିଁକି ଏତେ କମ୍ ରହିଛି ଏହା ସ୍ପଷ୍ଟ ଭାବେ ଏକ ଭେଦଭାବ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସେ ଅଭିଯୋଗ କରିଥିଲେ।
