ନୂଆଦିଲ୍ଲୀ: ଚାଲିଥିବା ଏସ୍ଆଇଆର ବିବାଦକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଜନ୍ତର ମନ୍ତର ଯାଇଥିବା “କକ୍ରୋଚ୍ ଜନତା ପାର୍ଟି’ (ସିଜେପି)ର ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମଙ୍ଗଳବାର ସକାଳେ ଦିଲ୍ଲୀ ପୋଲିସ ଅଟକ ରଖିଛି। ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ଦଳ କିମ୍ବା ସଂଗଠନକୁ ଅନୁମତି ଦେଇନାହିଁ ଏବଂ ଏହି ସ୍ଥାନକୁ “ନିର୍ଦ୍ଧାରିତ ବିକ୍ଷୋଭ ସ୍ଥଳ’ ତାଲିକାରୁ ମଧ୍ୟ ହଟାଇ ଦେଇଛି। ତଥାପି, କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଏହି ଦୁଇ ନେତା ଅନ୍ୟମାନଙ୍କ ସହ ମିଶି ଜେଡେୟୁର ଜାତୀୟ କାର୍ଯ୍ୟାଳୟ ପାର୍ଶ୍ୱରୁ ଉକ୍ତ ସ୍ଥାନରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସେୟାର କରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, “ତ୍ରିରଙ୍ଗା ଧରିଥିବା ସିଜେପି ସଦସ୍ୟମାନେ ଆଜି ସକାଳେ ଦିଲ୍ଲୀ ପୋଲିସ ଦ୍ୱାରା ଧରାପଡ଼ିବା ପୂର୍ବରୁ ଜନ୍ତର ମନ୍ତର ଭିତରକୁ ପ୍ରବେଶ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଦାସ, ରଙ୍କା ଏବଂ ଅନ୍ୟମାନେ ଜେଡେୟୁ କାର୍ଯ୍ୟାଳୟର ଗେଟ୍ ଡେଇଁ ଜନ୍ତର ମନ୍ତର ପରିସରକୁ ପ୍ରବେଶ କରୁଛନ୍ତି ଏବଂ “ଭାରତ ମାତା କୀ ଜୟ’ ଓ “ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ’ ସ୍ଲୋଗାନ୍ ଦେବା ସହ ତ୍ରିରଙ୍ଗା ଉଡ଼ାଉଛନ୍ତି। ଭିଡିଓରେ ସିଜେପି ନେତା ରଙ୍କା ଏବଂ ଦାସଙ୍କୁ କିଛି ସ୍ୱେଚ୍ଛାସେବୀଙ୍କ ସହ ହାତରେ ତ୍ରିରଙ୍ଗା ଧରି ଗେଟ୍ ଡେଇଁ ବିକ୍ଷୋଭ ପ୍ରଦର୍ଶନ ପାଇଁ ସେହି ସ୍ଥାନକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି। ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀମାନେ ସେମାନଙ୍କୁ ଗୋଡ଼ାଇବା ସମୟରେ ବିକ୍ଷୋଭକାରୀମାନେ “ଭାରତ ମାତା କୀ ଜୟ’ ଏବଂ “ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ’ ବୋଲି ସ୍ଲୋଗାନ୍ ଦେଇଥିଲେ। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ପୋଲିସ ସହ ସେମାନଙ୍କର ସାମାନ୍ୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ପରେ ବିକ୍ଷୋଭକାରୀମାନଙ୍କୁ ଅଟକ ରଖାଯାଇ ଜନ୍ତର ମନ୍ତରକୁ ବିକ୍ଷୋଭ ସ୍ଥଳ ତାଲିକାରୁ ହଟାଗଲା।
ଏହି ସମୟରେ, ସୋମବାର ଦିନ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଦିଲ୍ଲୀରେ ବିକ୍ଷୋଭ ଓ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ଭାବରେ ଜନ୍ତର ମନ୍ତରର ମାନ୍ୟତା ପ୍ରତ୍ୟାହାର କରିନିଆଯାଇଛି। ଦିଲ୍ଲୀ ପୋଲିସ୍ ଏଭଳି ସମାବେଶ ପାଇଁ ତିନୋଟି ବିକଳ୍ପ ସ୍ଥାନ ନିର୍ଦ୍ଧାରଣ କରିଛି- ରାମଲୀଳା ମୈଦାନ, ବୁରାରି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ମୈଦାନ। ନାଗରିକମାନେ ଯେଉଁଠାରେ ବିକ୍ଷୋଭ ଓ ପ୍ରଦର୍ଶନ ଆୟୋଜନ କରିବାର ନିଜ ଅଧିକାର ସାବ୍ୟସ୍ତ କରିପାରିବେ, ସେଭଳି ବିକଳ୍ପ ସ୍ଥାନଗୁଡ଼ିକର ଯାଞ୍ଚ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା। ବିଜ୍ଞପ୍ତି ଅନୁଯାୟୀ, ଉକ୍ତ କମିଟିର ସୁପାରିଶ ଆଧାରରେ ଜନ୍ତର ମନ୍ତରକୁ ନିର୍ଦ୍ଧାରିତ ବିକ୍ଷୋଭ ସ୍ଥଳ ତାଲିକାରୁ ହଟାଇ ଦିଆଯାଇଛି।
