ମୁମ୍ବାଇ: ଭାରତୀୟ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ମସିହାର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବୁଧବାର ଦିନ ପିଆଇବି ଏକ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମ୍ମାନ ପାଇଁ ଅନନ୍ତ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଘୋଷଣା ସମ୍ପର୍କରେ ସୂଚନା ଦେଇ ପିଆଇବି ଇନଷ୍ଟାଗ୍ରାମରେ ଲେଖିଛି, “ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ କ୍ରମେ, ଭାରତ ସରକାର ଘୋଷଣା କରି ଖୁସି ଅନୁଭବ କରୁଛନ୍ତି ଯେ ଭାରତୀୟ ସିନେମାକୁ ଅବଦାନ ଏବଂ ପିଢ଼ି ପିଢ଼ି ଧରି ଅନୁପ୍ରାଣିତ କରିଆସୁଥିବା ଏକ ଉଜ୍ଜ୍ୱଳ ସିନେମାଟିକ ଯାତ୍ରା ପାଇଁ ଏହି ଅଭିନେତାଙ୍କୁ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର-୨୦୨୪ ପ୍ରଦାନ କରାଯିବ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଭିନେତା ଅନନ୍ତ ନାଗଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସ ରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, “ଦାଦାସାହେବ ଫାଲକେ ପୁରସ୍କାର ପାଇଥିବାରୁ ବିଶିଷ୍ଟ ଅଭିନେତା ଅନନ୍ତ ନାଗ ଜୀଙ୍କୁ ଅଭିନନ୍ଦନ। ଦୀର୍ଘ ଦଶନ୍ଧି ଧରି ତାଙ୍କର ସହଜ ଓ ସ୍ୱାଭାବିକ ଅଭିନୟ, ଅସାଧାରଣ ବହୁମୁଖୀ ପ୍ରତିଭା ଏବଂ ଦକ୍ଷତା ଭାରତୀୟ ସିନେମା, ବିଶେଷକରି କନ୍ନଡ଼ ସିନେମା ଉପରେ ଏକ ଗଭୀର ପ୍ରଭାବ ପକାଇଛି। ସେ ଯେଉଁ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି, ସେଥିରେ ଏକ ବିରଳ ଗଭୀରତା ଓ ବାସ୍ତବତା ଆଣିପାରିଛନ୍ତି। ଜଣେ ପ୍ରକୃତ ବିଶିଷ୍ଟ କଳାକାରଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଯଥାର୍ଥ ସମ୍ମାନ।’ ଅନନ୍ତ ନାଗ ୧୯୪୮ ମସିହା ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ କନ୍ନଡ଼ ସିନେମାରେ ତାଙ୍କର ଏକ ଦୀର୍ଘ ଓ ସଫଳ କ୍ୟାରିୟର ରହିଛି। ବର୍ଷ ବର୍ଷ ଧରି ସେ ୨୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିମତୁ ୧୭୫ରୁ ଅଧିକ କନ୍ନଡ଼ ଭାଷାର ଚଳଚ୍ଚିତ୍ର ଅଟେ। କନ୍ନଡ଼ ବ୍ୟତୀତ ସେ ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି ଏବଂ ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ “ମାଲଗୁଡ଼ି ଡେଜ୍’ର ଅଂଶବିଶେଷ ଥିଲେ, ଯାହା ପ୍ରସିଦ୍ଧ ଲେଖକ ଆର.କେ. ନାରାୟଣଙ୍କ ରଚନା ଉପରେ ଆଧାରିତ ଥିଲା। ବରିଷ୍ଠ ଅଭିନେତା ଅନନ୍ତ ନାଗ ୧୯୭୩ ମସିହାରେ କନ୍ନଡ଼ ଚଳଚ୍ଚିତ୍ର “ସଙ୍କଳ୍ପ’ ଜରିଆରେ ନିଜର ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ଆର୍ଟ-ହାଉସ୍ ଏବଂ ସମାନ୍ତରାଳ ସିନେମାରେ ନିଜର କାର୍ଯ୍ୟ ପାଇଁ ଖ୍ୟାତି ଅର୍ଜନ କରିଥିଲେ, ବିଶେଷକରି ଶ୍ୟାମ ବେନେଗାଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯଥା “ଅଙ୍କୁର’, “ନିଶାନ୍ତ’, “ଭୂମିକା’ ଏବଂ “କୋଣ୍ଡୁରା’ ମାଧ୍ୟମରେ। ଉଲ୍ଲେଖନୀୟ ଯେ, ୨୦୨୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ “ପଦ୍ମ ଭୂଷଣ’ ପ୍ରଦାନ କରାଯାଇଥିଲା। ଦାଦାସାହେବ ଫାଲକେ ପୁରସ୍କାର ପାଇବାରେ ଅନନ୍ତ ନାଗ ହେଉଛନ୍ତି ଦ୍ୱିତୀୟ କନ୍ନଡ଼ ତାରକା। ୧୯୯୫ ମସିହାରେ ଡକ୍ଟର ରାଜକୁମାର ଏହି ସମ୍ମାନ ପାଇବା ପରେ, କୌଣସି କନ୍ନଡ଼ ଅଭିନେତା ସିନେମା କ୍ଷେତ୍ରରେ ଦେଶର ଏହି ସର୍ବୋଚ୍ଚ ପୁରସ୍କାର ଲାଭ କରିନଥିଲେ; ଯଦିଓ କର୍ଣ୍ଣାଟକର ସିନେମାଟୋଗ୍ରାଫର୍ ଭି. କେ. ମୂର୍ତ୍ତି ୨୦୦୮ ମସିହାରେ ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ, ତଥାପି ତାହା ହିନ୍ଦୀ ସିନେମାରେ ତାଙ୍କ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଥିଲା।
