ଲସ୍ ଆଞ୍ଜେଲସ୍: ମଙ୍ଗଳବାର ଦିନ ଲସ୍ ଆଞ୍ଜେଲସ୍ର ଏକ ଅଞ୍ଚଳରେ ଏନବିସି ନ୍ୟୁଜ୍ର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ଏଥିରେ ଅତିକମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ସମୟରେ ସାମ୍ବାଦିକମାନେ ନିକଟରେ ଘଟିଥିବା ଏକ ଏସ୍ୟୁଭି ଏବଂ ସିଟି ବସ୍ ମଧ୍ୟରେ ଧକ୍କା ଘଟଣାର ଖବର ସଂଗ୍ରହ କରୁଥିଲେ। ଏନବିସି ୪ ଲସ୍ ଆଞ୍ଜେଲସ୍?ର ଉପସ୍ଥାପିକା କଲିନ୍ ୱିଲିୟମ୍ସ ଏକ ସିଧାସଳଖ ପ୍ରସାରଣ ସମୟରେ ନିଶ୍ଚିତ କରିଥିଲେ ଯେ ସନ୍ଧ୍ୟା ୭ଟା ପୂର୍ବରୁ ଷ୍ଟେସନର ହେଲିକପ୍ଟରଟି ତଳକୁ ଖସିପଡ଼ିଥିଲା। ଭାବବିହ୍ୱଳ କଣ୍ଠରେ ସେ କହିଥିଲେ, “ଏହା ବିଷୟରେ ଚିନ୍ତା କରିବା ଏବଂ ଏହି ଘଟଣାକୁ ହୃଦୟଙ୍ଗମ କରିବା ପାଇଁ ଆମେ କିଛି ମୁହୂର୍ତ୍ତ ସମୟ ନେବୁ।’ ଏହାର କିଛି ସମୟ ପରେ ସେମାନଙ୍କର ଖବର ପ୍ରସାରଣ ହଠାତ୍ ବନ୍ଦ ହୋଇଯାଇଥିଲା। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ଅନୁଯାୟୀ, ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିର ଚାଟସ୍ୱର୍ଥ ଅଞ୍ଚଳରେ ଥିବା ଏକ ଷ୍ଟୋରେଜ୍ ବିଲ୍ଡିଂ (ଗୋଦାମ ଘର) ନିକଟରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ନ୍ୟୁଜ୍ ଟିମ୍ ସେହି ବସ୍ ଦୁର୍ଘଟଣାର ଖବର ସଂଗ୍ରହ କରୁଥିଲେ, ଯେଉଁଥିରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଛଅ ଜଣ ଆହତ ହୋଇଥିଲେ। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗର ମୁଖପାତ୍ର କ୍ୟାପଟେନ୍ ବ୍ରାଣ୍ଡେନ୍ ସିଲଭରମ୍ୟାନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅତିକମରେ ଜଣେ ବ୍ୟକ୍ତି ବାଣିଜ୍ୟିକ କୋଠା ନିକଟସ୍ଥ ପାର୍କିଂ ସ୍ଥାନରେ ଥିଲେ। ମୃତ୍ୟୁବରଣ କରିଥିବା ଅନ୍ୟ ଦୁଇ ଜଣ ଘଟଣା ସମୟରେ ଭୂମିରେ ଥିଲେ ନା ହେଲିକପ୍ଟର ଭିତରେ ଥିଲେ, ତାହା ସ୍ପଷ୍ଟ ହୋଇନାହିଁ
