ନୀଳଗିରି: ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ଏବଂ ଦୁଇଜଣ ଶିକ୍ଷୟତ୍ରୀ ଗୁରୁତର ହୋଇଥିବା ବେଳେ ଜଣେ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି।ବାଲେଶ୍ୱର ଜିଲ୍ଲା ନୀଳଗିରି ରାଜବାଟି ସ୍ଥିତ ଶିଶୁମନ୍ଦିରରେ ଘଟିଛି ଏଭଳି ଅଘଟଣ।ଛାତ୍ରଛାତ୍ରୀଙ୍କ ସୁରକ୍ଷାଦୃଷ୍ଟିରୁ ବିଦ୍ୟାଳୟକୁ ଛୁଟିଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ସକାଳୁ ନୀଳଗିରି ଗୋପୀନାଥପୁର ଅଞ୍ଚଳର ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ନିଜଝିଅକୁ ନେଇ ଶିଶୁମନ୍ଦିର ମଧ୍ୟକୁ ପ୍ରବେଶକରିବାକୁ ଯାଉଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ।ଝିଅକୁ ଆକ୍ରମଣରୁ ବଞ୍ଚାଇବାପାଇଁ ଯିବାବେଳେ ମହୁମାଛି ତାଙ୍କୁ ମଧ୍ୟ ଗୋଡ଼ାଇଗୋଡ଼ାଇ ଆକ୍ରମଣ କରିଥିଲେ।ସେ ଜୀବନ ବିକଳରେ ନିକଟସ୍ଥ ପୋଖରୀ ଭିତରେ ପଶିଯାଇଥିଲେ। ଇତିମଧ୍ୟରେ ମହୁମାଛି ଆଉ ଦୁଇଜଣ ଗୁରୁମାଙ୍କୁ ଆକ୍ରମଣ କରିଥିଲେ।ଜଣେ ଶିକ୍ଷକ ଓ ଦୁଇଜଣ ଗୁରୁମା ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଗୁରୁମା ପ୍ରଭାମଞ୍ଜରୀ ନାୟକ,ଦୀପ୍ତିମୟୀ ପୃଷ୍ଟି,ଓ ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗୁରୁତର ହୋଇ ଚିକିତ୍ସିତହେଉଥିବା ଜଣାପଡିଛି।ତେବେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଛୁଟି କରାଯାଇଥିବା ବେଳେ ତୁରନ୍ତ ମହୁମାଛି ଫେଣାକୁ ହଟାଇବାକୁ ଦାବିହୋଇଛି।
