ଚାନ୍ଦବାଲ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ଯୁବକ ହେଉଛନ୍ତି ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁର ନୃସିଂହ ଦାସଙ୍କ ପୁଅ ଦୀପ୍ତିରଞ୍ଜନ ଦାସ। ସୂଚନା ଅନୁଯାୟୀ, ଦୀପ୍ତିରଞ୍ଜନ ନିଜ ସ୍କୁଟି ରାସ୍ତା ପାର୍ଶ୍ୱରେ ରଖି ଛିଡ଼ା ହୋଇଥିବା ସମୟରେ ଏକ ଟ୍ରାକ୍ଟର ତାଙ୍କ ଉପରେ ଚଢ଼ିଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକକୁ ରେଫର କରାଯାଇଥିଲା। ତେବେ କଟକ ନେବା ବାଟରେ ଦୀପ୍ତିରଞ୍ଜନଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାଲିଗାଁ ସମେତ ଚାନ୍ଦବାଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତକଙ୍କ ପରିବାରକୁ ନ୍ୟାୟ ଓ ଉପଯୁକ୍ତ କ୍ଷତିପୂରଣ ଦାବିରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଚାନ୍ଦବାଲି–ଭଦ୍ରକ ରାଜ୍ୟ ରାଜପଥର ମଧୁବାବୁ ଛକ ନିକଟରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସେହିପରି ଚାନ୍ଦବାଲି–ଆରଡ଼ି ମୁଖ୍ୟରାସ୍ତାର ବାଲିଗାଁ ନିକଟରେ ମଧ୍ୟ ରାସ୍ତାରେ ବାଡ଼ ବାନ୍ଧି ଲୋକେ ଯାତାୟାତ ବନ୍ଦ କରିଥିବା ଜଣାପଡ଼ିଛି।ଦୁଇଟି ପ୍ରମୁଖ ରାସ୍ତାରେ ରାସ୍ତାରୋକ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଚାନ୍ଦବାଲିରୁ ଭଦ୍ରକ ଏବଂ ଆରଡ଼ି ଅଭିମୁଖେ ଯାତାୟାତ କରୁଥିବା ଯାତ୍ରୀ ଓ ଗାଡ଼ିଚାଳକମାନେ ହଇରାଣ ହୋଇଥିବା ଦେଖାଯାଇଛି। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି।

ଘଟଣାର ଖବର ପାଇ ପୋଲିସ ରାସ୍ତାରୋକ ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲା। ମୃତକଙ୍କ ପରିବାରର ଦାବି ଓ ରାସ୍ତାରୋକ ହଟାଇବା ନେଇ ପୋଲିସ ପକ୍ଷରୁ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି। ଚାନ୍ଦବାଲି ମେଡିକାଲ ରେ ମୃତକଙ୍କ ପରିବାରଙ୍କୁ ଭେଟି ଚାନ୍ଦବାଲି ତାସିଲଦର୍ ଭବପ୍ରସାଦ ମଲିକ ସରକାର ରେଡକ୍ରସ ପାଣ୍ଠି ତରଫରୁ ୨୫.୦୦୦ ହଜାର ପ୍ରଦାନ କରିଥିଲେ । ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ ଟ୍ରାକ୍ଟରଟି କେଉଁ ପରିସ୍ଥିତିରେ ଯୁବକଙ୍କ ଉପରେ ଚଢ଼ିଗଲା, ସେନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
