ପୁରୀ: ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଏବଂ ସ୍ଥାୟୀ ବ୍ୟବସ୍ଥା ଦାବିରେ ଆରମ୍ଭ ହୋଇଥିବା ଅହିଂସାପୂର୍ଣ୍ଣ ସଚେତନତା ପଦଯାତ୍ରା ଆଜି ୧୬୪ ଦିନ ପୂରଣ କରିଛି। ଦାବି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ପୁରୀବାସୀ ଦୀର୍ଘଦିନ ଧରି ଶାନ୍ତି, ଶୃଙ୍ଖଳା ଓ ଅହିଂସାର ମାର୍ଗରେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହେଉଥିବା ଏହି ପଦଯାତ୍ରା କ୍ରମେ ପୁରୀବାସୀଙ୍କ ଦାବିର ଏକ ଦୃଢ଼ ଜନସ୍ୱରରେ ପରିଣତ ହୋଇଛି। ଶ୍ରୀମନ୍ଦିର ସହ ପୁରୀବାସୀଙ୍କର ଦୀର୍ଘକାଳୀନ ଆତ୍ମିକ, ସାମାଜିକ ଓ ଭାବନାତ୍ମକ ସମ୍ପର୍କକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସହଜ, ସୁବ୍ୟବସ୍ଥିତ ଓ ସମ୍ମାନଜନକ ଦର୍ଶନ ବ୍ୟବସ୍ଥା କରାଯାଉ ବୋଲି ପଦଯାତ୍ରୀ ସତ୍ୟାଗ୍ରହୀମାନେ ଦାବି କରିଆସୁଛନ୍ତି। ପ୍ରବଳ ରୌଦ୍ରତା ଠାରୁ ଆରମ୍ଭ କରି ବର୍ଷା ଓ ବିଭିନ୍ନ ପ୍ରତିକୂଳ ପାଣିପାଗ, କୌଣସି ପରିସ୍ଥିତି ମଧ୍ୟ ଏହି ପଦଯାତ୍ରାକୁ ରୋକିପାରିନାହିଁ। ଆଜି ୧୬୪ତମ ଦିନରେ ମଧ୍ୟ ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରେ ସମବେତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଦିଗକୁ ପଦଯାତ୍ରା କରିଥିଲେ।

ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବି ଉପରେ ଶୀଘ୍ର ନ୍ୟାୟସଙ୍ଗତ ନିଷ୍ପତ୍ତି ନିଆଯିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଆନ୍ଦୋଳନର ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଏହା ପୁରୀବାସୀଙ୍କ ଦୀର୍ଘଦିନର ଭାବନା ଓ ଦାବିର ଏକ ଶାନ୍ତିପୂର୍ଣ୍ଣ ଅଭିବ୍ୟକ୍ତି। ପୁରୀବାସୀଙ୍କ ଧାର୍ମିକ ଭାବନା ଓ ଶ୍ରୀମନ୍ଦିର ସହ ସେମାନଙ୍କର ପାରମ୍ପରିକ ସମ୍ପର୍କକୁ ସମ୍ମାନ ଦେଇ ସ୍ଥାୟୀ ଦର୍ଶନ ବ୍ୟବସ୍ଥା ପାଇଁ ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ। ଆଲୋଚନା ଓ ପାରସ୍ପରିକ ସଂଳାପ ମାଧ୍ୟମରେ ଏହାର ସମାଧାନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଛନ୍ତି।ସତ୍ୟାଗ୍ରହୀମାନଙ୍କ ମତରେ, ୧୬୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରା ପ୍ରମାଣ କରିଛି ଯେ ଦାବିଟି କୌଣସି କ୍ଷଣିକ ଆବେଗର ପରିଣାମ ନୁହେଁ। ଏହା ପୁରୀବାସୀଙ୍କ ଦୀର୍ଘଦିନର ଆଶା, ଅନୁଭବ ଓ ଅଧିକାରବୋଧରୁ ଜନ୍ମ ନେଇଥିବା ଏକ ନିରନ୍ତର ଆନ୍ଦୋଳନ। ସରକାର ଏହି ଦାବିକୁ ଗୁରୁତ୍ୱ ଦେଇ ପୁରୀବାସୀଙ୍କ ସହ ଆଲୋଚନା କରି ଏକ ସ୍ଥାୟୀ ସମାଧାନର ବାଟ ଖୋଜନ୍ତୁ ବୋଲି ସେମାନେ ଆହ୍ୱାନ ଜଣାଇଛନ୍ତି। ସତ୍ୟ ଓ ଅହିଂସାକୁ ଆନ୍ଦୋଳନର ମୂଳ ଆଧାର କରି ପୁରୀବାସୀ ଆଗକୁ ବଢ଼ୁଛନ୍ତି।

ଦାବି ପୂରଣ ପାଇଁ କୌଣସି ଅଶାନ୍ତି କିମ୍ବା ସଂଘର୍ଷର ପଥ ନୁହେଁ, ବରଂ ଗାନ୍ଧୀୟ ସତ୍ୟାଗ୍ରହର ମାର୍ଗରେ ଆନ୍ଦୋଳନକୁ ଆଗେଇ ନେବାକୁ ସତ୍ୟାଗ୍ରହୀମାନେ ସଂକଳ୍ପବଦ୍ଧ। ପୁରୀବାସୀଙ୍କ ଦାବି ପ୍ରତି ସରକାରଙ୍କ ଠାରୁ ଏକ ସ୍ଥାୟୀ ଓ ସ୍ପଷ୍ଟ ପଦକ୍ଷେପ ନଆସିବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅବ୍ୟାହତ ରହିବ ବୋଲି ସେମାନେ ଦୃଢ଼ତାର ସହ କହିଛନ୍ତି।ଏହି ଅବସରରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ଜଗଦାନନ୍ଦ ରାୟ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ପ୍ରଣତୀ ରାୟ, ଅଞ୍ଜୁବାଳା ମହାନ୍ତି, ନିହାରିକା ତ୍ରିପାଠୀ, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ପ୍ରକାଶ ଚନ୍ଦ୍ର ନାୟକ, ସନ୍ତୋଷ ସେନାପତି, ଲିଙ୍ଗରାଜ ସାହୁ, ଭୋଳା ଦାଶ, ବରୁଣ ମହାପାତ୍ର, ବାପିନା ସାମନ୍ତରାୟ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଉପସ୍ଥିତ ଥିଲେ।
