ପୁରୀ : ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଆନାଟୋମି ବିଭାଗ ପକ୍ଷରୁ କଲେଜ ପରିସରରେ ଦୁଇ ଦିନିଆ ମାନବ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଜ୍ଞାନବୃଦ୍ଧି ନିମନ୍ତେ ମାନବ ଶରୀରର ମସ୍ତିଷ୍କ, ହୃତପିଣ୍ଡ, ଫୁସଫୁସ, ପାକସ୍ଥଳୀ, ଯକୃତ ଆଦି ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ପ୍ରଦର୍ଶନ କରାଯିବା ସହ ସେମାନଙ୍କର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଉଛି । ଗୁରୁବାର ପ୍ରଥମ ଦିବସ ପ୍ରଦର୍ଶନୀକୁ କଲେଜ ଅଧ୍ୟକ୍ଷା ପ୍ରଫେସର ସବିତା ମହାପାତ୍ର ଉଦଘାଟନ କରିଥିବା ବେଳେ ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ଲଲାଟେନ୍ଦୁ ସାଇଁଙ୍କ ସମେତ ପ୍ରଫେସର ଅମରେନ୍ଦ୍ର ନାୟକ, ପ୍ରଫେସର କାଳୀପ୍ରସାଦ ପଟ୍ଟନାୟକ, ପ୍ରଫେସର ବିମୋଚ ପ୍ରଜ୍ଞା ପତି, ପ୍ରଫେସର ମିନତୀ ମହାପାତ୍ର ଓ ଅନ୍ୟ ପ୍ରାଧାପକ ମାନେ ଉପସ୍ଥିତ ଥିଲେ ।

ପ୍ରଥମ ଦିବସରେ ସହରର ବିଭିନ୍ନ ସ୍କୁଲ୍ ଓ କଲେଜରୁ ପ୍ରାୟ ୪ଶହ ଛାତ୍ରଛାତ୍ରୀ ପ୍ରଦର୍ଶନୀ ବୁଲି ଦେଖିବା ସହ ମାନବ ଶରୀର ସଂରଚନା ଓ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଏହି ପ୍ରଦର୍ଶନୀରେ ମେଡିକାଲ କଲେଜର ବିଭିନ୍ନ ବ୍ୟାଚ୍ ର ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଆନାଟୋମି ବିଭାଗର ସହକାରୀ ପ୍ରାଧ୍ୟାପକ ଡା. ରାଜୀବ କୁମାର ଲାଲ, ଡା. ଲିଓନା ଆଚାର୍ଯ୍ୟ, ତା. ସୁନୀତା ସାହୁ, ଡା, କୀର୍ତିପ୍ରକାଶ ସାହୁଙ୍କ ଦିଗଦର୍ଶନରେ ଛାତ୍ର ଟିକୁ ସାହୁ, ରିତେଶ ବିଶ୍ୱାଳ, ବିକାଶ ନାୟକ, ମୈତ୍ରୀ ମିଲନ ସାଇଁ, ପ୍ରତୀକ ସାହୁ ଏହି ପ୍ରଦର୍ଶନୀ ପରିଚାଳନା କରିଥିବା ବେଳେ ନିରଞ୍ଜନ ଗୋଚ୍ଛାୟତ, ମନୋରଞ୍ଜନ ଗୋଚ୍ଛାୟତ ଓ ବାପି ନାୟକ ପ୍ରମୁଖ କର୍ମଚାରୀମାନେ ସହଯୋଗକରିଥିଲେ । ଶୁକ୍ରବାର ଦିନ ମଧ୍ୟ ଏହି ପ୍ରଦର୍ଶନୀ ଚାଲୁରହିବ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଓ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀର ସୁଯୋଗ ନେବାକୁ ମେଡିକାଲ କଲେଜ ପ୍ରଫେସର ସବିତା ମହାପାତ୍ର ପ୍ରକାଶ କରିଛନ୍ତି ।
