ପୁରୀ: ପୁରୀ ପୋଲିସ ପକ୍ଷରୁ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ନିରନ୍ତର ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷିତରେ ଦୁଇଟି ଭିନ୍ନ ମାମଲାରେ ସଫଳତାର ସହିତ ଦୁଇଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ଘଟଣାରେ, ସଦର ଥାନା ମାମଲା ନଂ ୧୮୧/୨୦୨୬ ଅନୁଯାୟୀ ଜଣେ ୧୭ ବର୍ଷୀୟ ଅବୟସ୍କ କନ୍ୟାଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ସେହି କନ୍ୟାଙ୍କୁ ଆବଶ୍ୟକ ଆଇନି ଅନୁସାରେ ପ୍ରକ୍ରିୟା ପାଳନ କରାଯାଉଛି ଏବଂ ତାଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଦ୍ୱିତୀୟ ଘଟଣାରେ, ବାଳିଆପଣ୍ଡା ଥାନା ମାମଲା ନଂ ୮୫/୨୬ ଅନୁସାରେ ଆଉ ଜଣେ ନାବାଳିକା ବାଲିଆପଣ୍ଡାର ଗୌରାଙ୍ଗ କଲୋନୀ ଅଞ୍ଚଳରୁ ସୁରକ୍ଷିତ ଭାବେ ରେସ୍କ୍ୟୁ କରାଯାଇଛି। ସେହି କନ୍ୟାଙ୍କୁ ମଧ୍ୟ ଚିକିତ୍ସା ଯାଞ୍ଚ ଓ ଆବଶ୍ୟକ ଆଇନୁନ୍ମୁଖୀ ପଦକ୍ଷେପ ପାଇଁ ସମ୍ପର୍କିତ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। ପୁରୀ ପୋଲିସ ନାବାଳିକା ନିଖୋଜ ଘଟଣାରେ ତ୍ୱରିତ କାର୍ଯ୍ୟକଳାପ ଗ୍ରହଣ କରିବା ସହିତ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ସଦା ସଚେତନ ଓ ପ୍ରତିବଦ୍ଧ। ଏହିପରି କାର୍ଯ୍ୟକଳାପ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଜନସାଧାରଣଙ୍କୁ ଅନୁରୋଧ, ଯଦି କୌଣସି ଅବୟସ୍କ ନିଖୋଜ ବା ସନ୍ଦେହଜନକ ଘଟଣା ଦୃଷ୍ଟିଗୋଚର ହୁଏ, ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୧୨କୁ ସୂଚନା ଯୋଗାଇ ପୋଲିସଙ୍କୁ ସହଯୋଗ କରନ୍ତୁ।
