ପୁରୀ: ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ମଙ୍ଗଳବାର ଓଡ଼ିଶା ରାଜ୍ୟର ଭାରତ ସ୍କାଉଟ ଆଣ୍ଡ ଗାଇଡର ପୁରୀ ଶାଖା ଶ୍ରୀକ୍ଷେତ୍ର ଓପନ ୟୁନିଟ ପକ୍ଷରୁ ମେଡିକାଲ ଛକ ସ୍ଥିତ ଜେଲ ରୋଡ ନିକଟସ୍ଥ ଭକ୍ତନିବାସ ପାଖରେ ଦହି ସର୍ବତ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ଭାରତ ସ୍କାଉଟ ଆଣ୍ଡ ଗାଇଡ ଶାଖା ପୁରୀର ଉପସଭାପତି ପ୍ରଦ୍ୟୁମ୍ନ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଗ୍ରୀଷ୍ମ ପ୍ରବାହରେ ପଥଚାରୀ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏହି ଦହିସର୍ବତ ପିଇ ଆଶ୍ୱସ୍ତି ଦେବ ବୋଲି ଶ୍ରୀ ମିଶ୍ର କହିଥିଲେ ।

ଭାରତ ସ୍କାଉଟ ଓ ଗାଇଡର ରାଜ୍ଯ କମିଶନର ଡ.କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରୋଭର ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନଙ୍କ ତତ୍ତ୍ୱାବଧାନରେ ଦହିସର୍ବତ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ଯ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ଯ ପଥଚାରୀ ମାନଙ୍କୁ ଦହିସର୍ବତ ବଣ୍ଟନ କରାଯାଉଛି । ଦହିସର୍ବତ ପିଇ ପଥଚାରୀ ମାନେ ଆତ୍ମ ସନ୍ତୋଷ ପାଇବା ସହ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଦେଇ ପ୍ରଶଂସା କରିଥିଲେ । ସ୍କାଉଟ ଗାଇଡର ବରିଷ୍ଠ ସଭ୍ଯ ଦେବାଶିଷ ମିଶ୍ର ,ପ୍ରିୟଦର୍ଶନୀ ବିଶ୍ୱାଳ, ବିଶ୍ୱପ୍ରକାଶ,ମଳୟ ରଞ୍ଜନ ଦାସ ପଢିଆରୀ,ସଦାଶିବ ଶ୍ରୀଚନ୍ଦନ, ଆରତୀ ମହାନ୍ତି, ରାଜଲକ୍ଷ୍ମୀ ବରାଳ, ରୋହିତ, ସନ୍ତୋଷ, ରାଜକିଶୋର, ରାଧା, ଦୁର୍ଗା ପ୍ରମୁଖ ସ୍କାଉଟ ଆଣ୍ଡ ଗାଇଡର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
