ଲକ୍ଷ୍ନୌ: ସୋମବାର ବୃନ୍ଦାବନ ଡଙ୍ଗା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସନ୍ଧାନର ଚତୁର୍ଥ ଦିନରେ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ଦୁର୍ଘଟଣା ସ୍ଥଳରୁ ପ୍ରାୟ ୧୨ କିଲୋମିଟର ଦୂରରେ ବଙ୍ଗାଳୀ ଘାଟ ନିକଟରେ ଗୋଟିଏ ମୃତଦେହ ଏବଂ ଦେବରା ବାବା ଆଶ୍ରମ ନିକଟରେ ଅନ୍ୟଟି ମିଳିଥିଲା। ଅଧିକାରୀମାନେ କହିଛନ୍ତି ଯେ ନଦୀରେ ପାଣି ଫୁଲିବା ଯୋଗୁଁ ମୃତଦେହ ବାହାରିଥିଲା। ଉଭୟ ପୀଡିତଙ୍କୁ ସେମାନଙ୍କ ପରିବାର ଚିହ୍ନଟ କରିଛନ୍ତି। ସେମାନେ ହେଲେ ମୋନିକା ଟଣ୍ଡନ ଓ ଯଶ ଭଲ୍ଲା। ଉଭୟ ଲୁଧିଆନାର। ତେବେ ପଙ୍କଜ ମାଲହୋତ୍ରା ନାମକ ଜଣେ ବ୍ୟକ୍ତି ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ସମୟରେ ଜିଲ୍ଲା ପ୍ରଶାସନ ଯମୁନା ନଦୀ କୂଳରେ ସର୍ଚ୍ଚ ଅପରେସନକୁ ତୀବ୍ର କରିଛି। ଯେଉଁଥିରେ ୨୦୦ ରୁ ୨୫୦ ଜଣ କର୍ମଚାରୀ ସାମିଲ ଅଛନ୍ତି। ସର୍ଚ୍ଚ ପରିସର ୧୪ କିଲୋମିଟରରୁ ୨୦ କିଲୋମିଟରକୁ ବିସ୍ତାର କରାଯାଇଛି। ପଞ୍ଜାବର ଲୁଧିଆନା ଜିଲ୍ଲାର ପ୍ରାୟ ୩୭ ଜଣଙ୍କୁ ନେଇ ଡଙ୍ଗାଟି ଏପ୍ରିଲ ୧୦ ତାରିଖରେ କେଶି ଘାଟରେ ଯମୁନା ନଦୀର ମଧ୍ୟଭାଗରେ ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣା ପରେ ଜିଲ୍ଲା ପୋଲିସ କର୍ତ୍ତୃପକ୍ଷ ଡଙ୍ଗା ଚାଳକ ପପୁ ନିଶାଦ ଏବଂ ପଣ୍ଟୁନ୍ ବ୍ରିଜ୍ ଠିକାଦାର ନାରାୟଣ ଶର୍ମାଙ୍କୁ ଗିରଫ କରିଥିଲେ। ଘଟଣା ପରେ, ମଥୁରା ପ୍ରଶାସନ ଯମୁନା ନଦୀରେ ଡଙ୍ଗା ଚାଳନ ପାଇଁ କଠୋର ସୁରକ୍ଷା ନିୟମ ଘୋଷଣା କରିଛି। ନୂତନ ନିୟମରେ ଲାଇଫ୍ ଜ୍ୟାକେଟ୍ ବିନା ଡଙ୍ଗା ଚଳାଇବା ଉପରେ ନିଷେଧ ଅନ୍ତର୍ଭୁକ୍ତ। ପ୍ରତି ଛଅ ମାସରେ ଡଙ୍ଗାଗୁଡ଼ିକ ପାଇଁ ଫିଟନେସ୍ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି। ଓଭରଲୋଡିଂ ବିରୁଦ୍ଧରେ ଡଙ୍ଗା ଚାଳକମାନଙ୍କୁ କଠୋର ଭାବରେ ସତର୍କ କରାଯାଇଛି।
