ବାରିପଦା ; ରାସଗୋବିନ୍ଦପୁର ବନାଞ୍ଚଳରେ ଥମୁନି ହାତୀଙ୍କ ଉପଦ୍ରବ। ଦିନକୁ ଦିନ ହାତୀ ଜନବସତି ମୁହାଁ ହେଉଥିବା ବେଳେ ଗତ ରାତିରେ ହାତୀପଲ ଖୁଣ୍ଟାପାଳ ଓ ମାଣିଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗିବା ସହ ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ହାତୀଙ୍କ ଗର୍ଜନ ଓ ଘର ଭାଙ୍ଗିବା ଶବ୍ଦରେ ରାତିରେ ଗ୍ରାମବାସୀ ମାନେ ଭୟଭୀତ ହୋଇପଡ଼ିଥିଲେ । ଖୁଣ୍ଟାପାଳ ପଞ୍ଚାୟତ ଅଧୀନ ଭେଡିସାହି ଗ୍ରାମର ରାମ ମୁର୍ମୁ ଓ ଦୁଃଖିନୀ ହେମ୍ବ୍ରମଙ୍କ ଘର ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ରଖଣିସାହି ଗ୍ରାମର ରାଜନ ହାଁସଦାଙ୍କ ଘରକୁ ମଧ୍ୟ ହାତୀ ଭାଙ୍ଗି କ୍ଷତି କରିଥିବା ଜଣାପଡିଛି । ଏହାଛଡା
ମାଣିଦା ପଞ୍ଚାୟତର ନୂଆସାହି ଗ୍ରାମର ସିଙ୍ଗରାୟ ମୁର୍ମୁଙ୍କ ଘରକୁ ହାତୀପଲ ଭାଙ୍ଗି ଦେବା ସହ ଘରର ବିଭିନ୍ନ ସାମଗ୍ରୀ ନଷ୍ଟ କରି ବ୍ୟାପକ କ୍ଷତି ଘଟାଇଛନ୍ତି । ଏହା ସହିତ ହାତୀପଲ ଚାଷଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲ ଦଳିଚକଟି ନଷ୍ଟ କରିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ଘରଦ୍ୱାର ଭାଙ୍ଗିବା ସହ ଚାଷଜମି ନଷ୍ଟ ହେବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି। ତେବେ ମୂଷାମାରି ର ଡାହିସାହି ଠାରେ ଟ୍ରାକ୍ଟର ଯୋଗେ ବାଉଁଶ କୁ ଟାଣୁଥିବା ବେଳେ ହଠାତ୍ ହାତୀ ଆସି ଆକ୍ରମଣ କରିଥିଲା । ଭୟ ରେ ଡ୍ରାଇଭର ଗାଡ଼ି ଛାଡି ପଳାଇଥିଲେ । ହାତୀ ଟି ଦୀର୍ଘ ସମୟଧରି ରହି ଟ୍ରାକ୍ଟର ଟି ଠେଲିବାକୁ ଓ ଟାଣିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି । ପରେ ଟ୍ରାକ୍ଟର ରେ ଲାଗିଥିବା ରଶି କୁ ଶୁଣ୍ଢ ଧରି ଟାଣିବାକୁ ଲାଗିଥିଲା ।
