ଦଶରଥପୁର ଯାଜପୁର: ମଙ୍ଗଳପୁର ୨୦ନଂ ଜାତୀୟ ରାଜପଥ ଅଧିନ ଦଶରଥପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣେ ଜଳଖିଆ ଦୋକାନୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦଶରଥପୁର ବ୍ଲକ ଅଧିନ ଗୋପାଳପୁର ପଞ୍ଚାୟତର ସରପଞ୍ଚ ସେକ ନାଦର ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତ ଜଳଖିଆ ଦୋକାନୀ ଦଶରଥପୁର ଗ୍ରାମର ରଘୁନାଥ ନାୟକ(୫୧)ବୋଲି ଜଣାପଡିଛି। ଦଶରଥପୁର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହିତ କାର ଚାଳକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଦଶରଥପୁର ତହସିଲ କାର୍ଯ୍ୟାଳୟ ନିକଟରେ ଜଳଖିଆ ଦୋକାନ କରିଥିବା ଦଶରଥପୁର ଗ୍ରାମର ରଘୁନାଥ ନାୟକ ଦୋକାନରୁ ସାଇକେଲ ଚଳାଇ ଘରକୁ ଆସୁଥିବା ବେଳେ ଯାଜପୁର -ମଙ୍ଗଳପୁର ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ମଙ୍ଗଳପୁର ପାର୍ଶ୍ୱରୁ ଝୁମ୍ପୁରୀ ବଜାର ରାସ୍ତାରେ ଆସୁଥିବା ସ୍ଥାନୀୟ ଅଞ୍ଚଳର କାର ଚାଳକ ଦିଲ୍ଲୀପ ବେହେରାଙ୍କ ମାରୁତି ୮୦୦ (ଓଆର-୦୫-ଏଫ-୭୬୮୭) ରଘୁନାଥଙ୍କୁ ସମ୍ମୁଖ ପଟୁ ଧକ୍କା ଦେବା ସହିତ ଝୁମ୍ପୁରୀ ବଜାର ପଟୁ ବାଇକରେ ଆସୁଥିବା ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ସରପଞ୍ଚ ସେକ .ନାଦରଙ୍କ ବାଇକକୁ ଖୁବ ଜୋର ଧକ୍କା ଦେଇଥିଲା। ଉଭୟ ଜଳଖିଆ ଦୋକାନୀ ରଘୁନାଥ ଏବଂ ସରପଞ୍ଚ ଏସ.କେ.ନାଦର ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ରଘୁନାଥଙ୍କ ମୁଣ୍ଡ ଓ ନାକରୁ ପ୍ରବଳ ରକ୍ତସ୍ରାବ ହେବା ସହିତ ସରପଞ୍ଚ ଏସ.କେ.ନାଦର ମଧ୍ୟ ଲହୁଲୁହାଣ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ପହଂଚିବା ପୂର୍ବରୁ ରାସ୍ତାରେ ଜଳଖିଆ ଦୋକାନୀ ରଘୁନାଥଙ୍କ ମୃତ୍ୟୁ ହୋଇଥିଲା।ସେହିପରି ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସରପଞ୍ଚ ଏସ.କେ.ନାଦରଙ୍କୁ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।ଦୁର୍ଘଟଣା ଖବର ପାଇ ଦଶରଥପୁର ପୁଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହିତ କାର ଚାଳକ ଦିଲ୍ଲୀପ ବେହେରାଙ୍କୁ ଗିରଫ କରିଥଲା। ଦୁର୍ଘଟଣାରେ ରଘୁନାଥଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଅଚ୍ୟୁତାନନ୍ଦ ନାୟକ ଦଶରଥପୁର ଥାନରେ କାର ଚାଳକ ଦିଲ୍ଲୀପ ବେହେରାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ପୁଲିସ ଅଭିଯୋଗ ଆଧାରରେ କେଶ ନଂ ୯୧/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
