ଭଞ୍ଜନଗର: ପୁଣି ସ୍ଥାନୀୟ ପୁଲିସ ହାବୁଡରେ ପଡିଲେ ୨ ଗଞ୍ଜେଇ ଚୋରା ଚାଲାଣକାରୀ। ଏଥିସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ, ଏକ ମୋଟର ସାଇକେଲ ଓ ନଗଦ ୧୧୦୦ ଟଙ୍କା ଜବତ କରିଛି ପୁଲିସ। ଥାନା ଅଧିକାରୀ ଜୀବନାନନ୍ଦ ଜେନା ଙ୍କ ସୂଚନା ଅନୁଯାୟୀ, ବୁଧବାର ସକାଳେ ଭଞ୍ଜନଗର ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ଓ ବ୍ଲକିଂ ଚାଲିଥିବା ବେଳେ ମା’ ସୋରାଦେବୀ ମନ୍ଦିର ଛକ ନିକଟରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକା ଯାଇଥିଲା। ସେମାନେ ଏକ କଳା ଓ ଲାଲ ରଙ୍ଗର ହୁଣ୍ଡା ସାଇନ୍ ମୋଟର ସାଇକେଲରେ ଆସୁଥିଲେ। ଯାଞ୍ଚ ବେଳେ ବାଇକରେ ଥିବା ଏକ ସବୁଜ ରଙ୍ଗର ଜରି ବ୍ୟାଗରୁ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ପରେ ମାଜିଷ୍ଟ୍ରେଟ୍? ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଅବିନାଶ ମାହାର ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏହି ଘଟଣାରେ ଭଞ୍ଜନଗର ଥାନାରେ କେସ୍? ନମ୍ବର ୯୦୯/୨୬ରେ ଏନଡିପିଏସ୍ ଆଇନ ବଳରେ ଏକ ମାମଲା ରୁଜୁ କରାଯାଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କେନ୍ଦୁପଲ୍ଲୀ ଗ୍ରାମର ଲୋକନାଥ ମହାନ୍ତିଙ୍କ ପୁଅ ରମେଶ କୁମାର ମହାନ୍ତି (୨୬) ଓ ବେଗୁନିଆ ଥାନା କଣ୍ଟାପଡ଼ା ଗ୍ରାମର ସ୍ୱର୍ଗତ ଚନ୍ଦ୍ରଶେଖର ଗୁରୁଙ୍କ ପୁଅ ସତ୍ୟନାରାୟଣ ଗୁରୁ (୪୨) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲାରୁ ଦୈନନ୍ଦିନ ବିପୁଳ ପରିମାଣର ଗଞ୍ଜେଇ ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଅବକାରୀ ଓ ପୁଲିସ ବିଭାଗ କିଛି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଉଛି। ତଥାପି ଗଞ୍ଜେଇ କାରବାର କମିବାକୁ ନାଁ ଧରୁନି।
