ପୁରୀ:୧୫୬ ଦିନ ବିତିଗଲା। ଋତୁ ବଦଳିଲା, ଦିନ ବଦଳିଲା, କିନ୍ତୁ ପୁରୀବାସୀଙ୍କ ଦାବି ବଦଳିନାହିଁ ଏବଂ ସଂକଳ୍ପ ମଧ୍ୟ ଦୁର୍ବଳ ହୋଇନାହିଁ। ନ୍ୟାୟସଙ୍ଗତ ଅଧିକାର ପାଇଁ ଆରମ୍ଭ ହୋଇଥିବା ସଚେତନତା ପଦଯାତ୍ରା ଆଜି ୧୫୬ତମ ଦିନରେ ପହଞ୍ଚିଛି। ପୁରୀବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ୱତନ୍ତ୍ର ଏବଂ ସମ୍ମାନଜନକ ବ୍ୟବସ୍ଥା କରାଯାଉ ଏହି ଦାବିକୁ ନେଇ ଗତ ଉତ୍କଳ ଦିବସ, ୧ ଏପ୍ରିଲରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା। ଆଜି ଦେଢ଼ଶହରୁ ଅଧିକ ଦିନ ପରେ ମଧ୍ୟ ଦାବିର ସ୍ୱର ସେହିଭଳି ଅବିଚଳ ରହିଛି।ସତ୍ୟାଗ୍ରହୀ ପଦଯାତ୍ରୀମାନଙ୍କ ମତରେ, ଏହି ଦାବି କୌଣସି ସୁବିଧା ପାଇବାର ଦାବି ନୁହେଁ; ଏହା ପୁରୀବାସୀଙ୍କ ଦୀର୍ଘଦିନର ଧାର୍ମିକ ପରମ୍ପରା, ଆସ୍ଥା ଓ ଅଧିକାର ସହ ଜଡ଼ିତ ପ୍ରଶ୍ନ। ତେଣୁ ଏହାର ସମାଧାନ ମଧ୍ୟ ସ୍ଥାୟୀ ଓ ସମ୍ମାନଜନକ ହେବା ଆବଶ୍ୟକ।

ଆଜି ସତ୍ୟାଗ୍ରହୀମାନେ ପୁଣି ଭକ୍ତ ସାଲବେଗ ପୀଠରେ ଏକତ୍ରିତ ହୋଇଥିଲେ। ସେଠାରୁ ଶାନ୍ତି ଓ ଅହିଂସାର ବାର୍ତ୍ତା ନେଇ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରିଥିଲେ। ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବି ଶୀଘ୍ର ପୂରଣ ହେଉ ଏବଂ ପୂର୍ବପରି ଦର୍ଶନ ବ୍ୟବସ୍ଥା ଫେରିଆସୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ୧୫୬ ଦିନର ଏହି ଯାତ୍ରା ପ୍ରମାଣ କରିଛି ଯେ ପୁରୀବାସୀ ନିଜ ଅଧିକାର ପ୍ରସଙ୍ଗରେ ଦୃଢ଼। ଆନ୍ଦୋଳନର ମାର୍ଗ ଶାନ୍ତିପୂର୍ଣ୍ଣ, କିନ୍ତୁ ଦାବି ପ୍ରତି ସଂକଳ୍ପ ଦୁର୍ବଳ ନୁହେଁ। ଏହା କୌଣସି ଦଳ, ବ୍ୟକ୍ତି କିମ୍ବା ସରକାର ବିରୋଧୀ ଆନ୍ଦୋଳନ ନୁହେଁ; ଏହା ପୁରୀବାସୀଙ୍କ ଅଧିକାର ଓ ଭାବନା ପାଇଁ ଏକ ଗଣତାନ୍ତ୍ରିକ ଓ ଅହିଂସାମୂଳକ ପ୍ରୟାସ। ସେ କହିଛନ୍ତି ଯେ, “ସମୟ ଯେତେ ଲମ୍ବା ହେଉ, ଆମର ସଂକଳ୍ପ ସେତେ ଅଧିକ ଦୃଢ଼ ହେବ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ବନ୍ଦ ହେବ ନାହିଁ।ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, କାହ୍ନୁ ଚରଣ ପ୍ରଧାନ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ମୀନାକ୍ଷୀ ଦାସ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଜଗଦାନନ୍ଦ ରାୟ, ଲିଙ୍ଗରାଜ ସାହୁ, ସନ୍ତୋଷ ସେନାପତି, ବାପିନା ସାମନ୍ତରାୟ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।୧୫୬ ଦିନର ପଦଯାତ୍ରା ଏବେ ପୁରୀବାସୀଙ୍କ ଦୃଢ଼ ମନୋବଳର ପରିଚୟ। ନିରବତାକୁ ଦୁର୍ବଳତା ଭାବିବାର କୌଣସି କାରଣ ନାହିଁ। ଅହିଂସାର ପଥରେ ଚାଲିଥିବା ଏହି ସତ୍ୟାଗ୍ରହର ସଂକଳ୍ପ ଅଟଳ। ଦାବି ପୂରଣ ପାଇଁ ଆଜି ପୁଣି ଉଠିଛି ସେହି ଏକମାତ୍ର ସ୍ୱର—ପୁରୀବାସୀଙ୍କୁ ପୂର୍ବପରି ସମ୍ମାନଜନକ ଦର୍ଶନର ଅଧିକାର ଦିଆଯାଉ। ସତ୍ୟ ଓ ଅହିଂସାର ଏହି ଯାତ୍ରା ଜାରି ରହିବ।
