କଟକ: ଲାଞ୍ଚ ନେବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫୁଲନଖରା ରେଞ୍ଜର ଡେପୁଟି ରେଞ୍ଜର ମୌସୁମୀ ବେହେରା। ତିନୋଟି ପ୍ଲାଣ୍ଟେସନ୍? ସ୍ଥଳର ରକ୍ଷଣାବେକ୍ଷଣ ବାବଦ ବିଲ୍ ମଞ୍ଜୁର କରିବା ପାଇଁ ସେ ନିଜ ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ତାଙ୍କୁ ଧରିଛି। ଅଭିଯୁକ୍ତ ଡେପୁଟି ରେଞ୍ଜରଙ୍କ କବଳରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୌସୁମୀ ବେହେରା ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ୍ ଅଧୀନ ଫୁଲନଖରା ରେଞ୍ଜରେ କାର୍ଯ୍ୟରତ ଅଛନ୍ତି। ଜୁଲାଇରୁ ସେପ୍େଟମ୍ବର ୨୦୨୬ ମଧ୍ୟରେ ତିନୋଟି ପ୍ଲାଣ୍ଟେସନ୍ ସ୍ଥଳର ରକ୍ଷଣାବେକ୍ଷଣ, ଜଗାରଖା, ଜଳସେଚନ ଓ ସାର ପ୍ରୟୋଗ ଆଦି କାର୍ଯ୍ୟ ପାଇଁ ହୋଇଥିବା ବିଲ୍ ମଞ୍ଜୁର କରିବା ବଦଳରେ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏପରିକି ଦାବି ମୁତାବକ ଟଙ୍କା ନଦେଲେ ଆଗାମୀ ମାସଗୁଡ଼ିକର ବିଲ୍ମଞ୍ଜୁର କରାଯିବ ନାହିଁ ବୋଲି ଡେପୁଟି ରେଞ୍ଜର ଧମକ ଦେଇଥିବା ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହେବା ସହ ଅର୍ଥ ଦେବାକୁ ଅସମର୍ଥ ହୋଇ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରିଥିଲା। ଏହି ସମୟରେ ମୌସୁମୀ ବେହେରା ଅଭିଯୋଗକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଗ୍ରହଣ କରୁଥିବାବେଳେ ତାଙ୍କୁ ଧରାଯାଇଥିଲା। ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ତାହାକୁ ଜବତ ତାଲିକାଭୁକ୍ତ କରିଛି। ଅନ୍ୟପକ୍ଷରେ, ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଡେପୁଟି ରେଞ୍ଜରଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଅଭିଯାନ ଜାରି ରହିଛି। ଏହି ଘଟଣାରେ ଭିଜିଲାନ୍ସ ସେଲ୍ ଥାନାରେ କେସ୍ ନମ୍ବର ୦୯, ତାରିଖ ୨୮.୧୦.୨୦୨୬ରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଥିବାବେଳେ ଅଧିକ ତଥ୍ୟ ପରବର୍ତ୍ତୀ ସମୟରେ ଜଣାପଡ଼ିବ।
