ବାରିପଦା; ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ, ଲକ୍ଷଣ ସମ୍ପର୍କରେ ଜ୍ଞାନ ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱକୁ ନେଇ ବାରିପଦାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ତନ କର୍କଟ ସଚେତନତା ମାସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଏଲ.ଡି.ଏସ. ଯାଦବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ପିଜିଟି ଶିକ୍ଷକ ଦେବଜିତ ପୃଷ୍ଟି ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଶ୍ରଦ୍ଧା ଫାଉଣ୍ଡେସନର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ତଥା କର୍କଟ ରୋଗ ବିଜୟିନୀ ଅନିତା ବେହେରା ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ସ୍ତନ କର୍କଟର ସାଧାରଣ ଲକ୍ଷଣ, ସ୍ତନରେ ଅସ୍ୱାଭାବିକ ପରିବର୍ତ୍ତନ ଚିହ୍ନିବା, ନିଜେ ପରୀକ୍ଷା କରିବାର ପଦ୍ଧତି, ସ୍କ୍ରିନିଂ ଏବଂ ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ। କର୍କଟ ରୋଗୀଙ୍କୁ ଚିକିତ୍ସା ସମୟରେ ରହିବା ଓ ଯାତାୟାତ କ୍ଷେତ୍ରରେ ସହାୟତା ଯୋଗାଇ ଦେଉଥିବା ଶ୍ରଦ୍ଧା ଫାଉଣ୍ଡେସନର କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ଅନିତା ବେହେରାଙ୍କ ବ୍ୟକ୍ତିଗତ ଅନୁଭୂତି ଓ ପ୍ରେରଣାଦାୟୀ ଉପସ୍ଥାପନା କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା। ଏହି ଅବସରରେ ଇଞ୍ଜିନିୟର ରାମକାନ୍ତ ସାହୁ ଉପସ୍ଥିତ ଥିଲେ। ସଚେତନତା ଓ ଠିକ ସମୟରେ ଚିକିତ୍ସା ଦ୍ୱାରା କର୍କଟ ରୋଗ ମୁକାବିଲା ସମ୍ଭବ ବୋଲି ସେ କହିଥିଲେ ।
