ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଇତିହାସରେ ଏକ ନୂତନ ଅଧ୍ୟାୟର ପ୍ରାରମ୍ଭ କରି, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ମହୋଦୟ ଗୌରବମୟ ପରିବେଶରେ କୁଳପତି ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହି ଗୌରବମୟ କାର୍ଯ୍ୟକ୍ରମରେ ପୂର୍ବତନ ଭାରପ୍ରାପ୍ତ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ,ରେଜିଷ୍ଟ୍ରାର ଓଏଏସ ରଶ୍ମିରେଖା ଦାସ , ଅର୍ଥ ନିୟନ୍ତ୍ରକ ସଞ୍ଜୀବ କୁମାର ଜେନା ସିଓଏଫ ସିପିଜିସି ଡ଼ା. ପ୍ରଦ୍ୟୁମ୍ନ କୁମାର ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ସତ୍ୟବାଦୀ ଦାଶଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଏହି ଅବସରକୁ ଅଧିକ ମାନ୍ୟତା ଓ ଗମ୍ଭୀରତା ପ୍ରଦାନ କରିଥିଲେ। ନୂତନ କୁଳପତି ପ୍ରଫେସର ଆଚାର୍ଯ୍ୟ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ପ୍ରସିଦ୍ଧ ସାକ୍ଷୀଗୋପୀନାଥ ମନ୍ଦିର ଦର୍ଶନ କରିଥିଲେ। ବନବିଦ୍ୟାଳୟ ନିକଟରେ ଉତ୍କଳମଣି ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ସମେତ ମହାପୁରୁଷ ମାନଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ।ସମସ୍ତଙ୍କ ଉପସ୍ଥିତିରେ ଏହି ଅବସରଟି ବିଶ୍ୱବିଦ୍ୟାଳୟର ଉନ୍ନତି, ନୂତନ ଦୃଷ୍ଟିକୋଣ ଓ ଶିକ୍ଷାର ନୂତନ ଦିଗକୁ ଆଗେଇ ନେବାରେ ଏକ ସ୍ପୃହଣୀୟ ପଦକ୍ଷେପ ଭାବେ ପ୍ରତିପାଦିତ ହୋଇଥିଲା।ଅପରାହ୍ନ ରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ପୂର୍ବତନ ବିଭାଗ ମୁଖ୍ୟ ଡକ୍ଟର ନୃସିଂହ ଚରଣ ସାହୁ, ବାଣୀରତ୍ନ ପଣ୍ଡିତ ଗଦାଧର ଦାଶ, ପ୍ରଫେସର ବିଶ୍ୱରଞ୍ଜନ ପତି , ଡକ୍ଟର ବିଶ୍ୱନାଥ ମିଶ୍ର, ଡକ୍ଟର ଜିତେନ୍ଦ୍ର କୁମାର ରାୟଗୁରୁ, ପ୍ରଫେସର ଗୌର ପ୍ରିୟା ଦାଶ, ପ୍ରଫେସର ନିର୍ମଳା ପାଣିଗ୍ରାହୀ ଓ ପୁରୀର ହର୍ଟିକଲଚର ଅଧିକାରୀ ସମ୍ବିତ୍ କୁମାର ଆଚାର୍ଯ୍ୟ ପ୍ରମୁଖ ନୂତନ କୁଳପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ମାନ୍ୟବର ଖଣ୍ଡପଡା ବିଧାୟକ ଇଁ ଦୁଷ୍ମନ୍ତ କୁମାର ସ୍ୱାଇଁ ମହୋଦୟ ନୂତନ କୁଳପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ପଦାଧିକାରୀ ଙ୍କ ସହିତ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ର ପ୍ରଗତି ବିଷୟରେ ଆଲୋଚନା କରିଥିଲେ।
