ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ରେ ମୋବାଇଲ ଛିନତାଇ କରୁଥିବା ୨ ଲୁଟେରା ଓ ସେମାନଙ୍କୁ ସହଯୋଗ କରୁଥିବା ୨ ଅପରାଧୀ ଙ୍କୁ ବାଲିଚନ୍ଦ୍ରପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ର ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ କୁସୁନ ପୁର ଗ୍ରାମର ଶିକ୍ଷୟତ୍ରୀ ଲିପିକା ପ୍ରିୟଦର୍ଶିନୀ ମହାନ୍ତି ଗତ ୭ ତାରିଖ ରେ ବଡ଼ଚଣା କୁ ଟ୍ରେନିଂ ପାଇଁ ଯାଇଥିଲେ। ସେଠାରୁ ଟ୍ରେନିଂ ସାରି ଫେରିବା ସମୟ ରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ର କଟିକଟା ଛକ ନିକଟରେ ଦୁଇ ଜଣ ଲୁଟେରା ଏକ ପଲସର ମୋଟର ସାଇକେଲ ରେ ଆସି ତାଙ୍କ ସ୍କୁଟି କୁ ଧକ୍କା ମାରି ମୋବାଇଲ ଛଡାଇ ନେଇ ପଳାଇ ଥିଲେ। ଏ ନେଇ ଲିପିକା ଙ୍କ ଅଭିଯୋଗ କ୍ରମେ ପୋଲିସ ୧୩୧/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟ ରେ ଦୁଇ ଜଣ ନାବାଳକ ଏଭଳି ଚୋରୀ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଜଣେ ଧର୍ମଶାଳା ଓ ଜଣେ ବଡ଼ଚଣା ଅଞ୍ଚଳ ର ନାବାଳକ ଙ୍କୁ ପୋଲିସ ଗିରଫ କରି ପଚରା ଉଚରା ପରେ ସେମାନଙ୍କୁ ସହଯୋଗ କରୁଥିବା ଓ ମୋବାଇଲ ନେଇ ବିକ୍ରି କରୁଥିବା ଅଭିଯୋଗ ରେ ବଡ଼ଚଣା ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମ ର ମାନସ ରଞ୍ଜନ ସାମଲ ଙ୍କ ପୁଅ ବିଶ୍ୱ ରଞ୍ଜନ ସାମଲ ଓ ଜେନାପୁର ଥାନା ଅନ୍ତର୍ଗତ ବାରମୁଣ୍ଡୁଳି ଗ୍ରାମ ର ବୁଲୁ ଦଳେଇ ଙ୍କ ପୁଅ ବବୁଲ ଦଳେଇ କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।ସେମାନଙ୍କ ନିକଟ ରୁ ୧୫ ଟି ଚୋରା ମୋବାଇଲ ସହ ବ୍ୟବହାର କରୁଥିବା ପଲସର ମୋଟର ସାଇକେଲ (ଓ ଡି ୦୪ ଭି ୮୩୬୨) କୁ ଜବତ କରିଥିବା ଥାନା ଅଧିକାରୀ ଦିଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଆସାମୀ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
