ବାରିପଦା /କରଞ୍ଜିଆ ; କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣି ବନାଞ୍ଚଳର ବିଭିନ୍ନ ସେକ୍ସନରେ ପ୍ରାୟ ୨୦ଟି ହାତୀଙ୍କ ଉପସ୍ଥିତି ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଶନିବାର ରାତିରେ ଦରି ସେକ୍ସନ ଅନ୍ତର୍ଗତ ପୁରୁଣା ଦେଓଗାଁ ଗ୍ରାମରେ ହାତୀପଲ ପଶି ଲକ୍ଷ୍ମୀକାନ୍ତ ନାୟକ ଓ ଦୁଷ୍ମନ୍ତ ନାୟକଙ୍କ ଦୁଇଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଖାଇ ନଷ୍ଟ କରିଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ଅନୁଯାୟୀ, ତାଟୋ ସେକ୍ସନରେ ୭ଟି ହାତୀ ଏବଂ ଦରି ସଂରକ୍ଷିତ ଜଙ୍ଗଲରେ ୩ଟି ବଡ଼ବିଲ ହାତୀ ରହିଛନ୍ତି। ସେହିପରି ଦରି-୨ ସଂରକ୍ଷିତ ଜଙ୍ଗଲରେ ୪ଟି ଶିମିଳିପାଳ ହାତୀ ଥିବାବେଳେ ଭଣ୍ଡା ସେକ୍ସନର ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ୮ଟି ଏବଂ ପାହାଡ଼ପୁର ଜଙ୍ଗଲରେ ଗୋଟିଏ ଶିମିଳିପାଳ ହାତୀ ଥିବା ଜଣାଯାଇଛି।

ପ୍ରବଳ ବର୍ଷା ସତ୍ତ୍ୱେ ହାତୀପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ଗ୍ରାମାଞ୍ଚଳ ଆଡ଼କୁ ମୁହାଁଉଥିବାରୁ ବନପାଳ, ବନରକ୍ଷୀ, ଟିପିଏଫ୍ ଓ ସବୁଜବାହିନୀ କର୍ମଚାରୀମାନେ ରାତିରେ ହାତୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ବର୍ତ୍ତମାନ ଧାନ ରୁଆ କାର୍ଯ୍ୟ ଶେଷ ହୋଇଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ପନିପରିବା କ୍ଷେତ ନଷ୍ଟ କରିବା ସହ ଗ୍ରାମମୁହାଁ ହେଉଛନ୍ତି। ଗ୍ରାମବାସୀଙ୍କୁ ସତର୍କ କରିବା ପାଇଁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନିୟମିତ ସଚେତନତା ଓ ସତର୍କ ସୂଚନା ଦିଆଯାଉଛି। ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବନପାଳ ସୁରମୋହନ ବେହେରା ଓ ବାବୁଲି ନାଏକ ପ୍ରକାଶ କରିଛନ୍ତି।
