ବାରିପଦା; ମା”ର ଶେଷ ଦର୍ଶନ ପାଇଁ ତାମିଲନାଡୁରୁ ଘରକୁ ଫେରୁଥିବା ବେଳେ ବାଟରେ ନିଖୋଜ ହୋଇଯାଇଛନ୍ତି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ବାରୀ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ, ବାରୀ ଗ୍ରାମର ପଞ୍ଚାନନ ଧଡ଼ାଙ୍କ ସ୍ତ୍ରୀ ଦୌଲତି ଧଡ଼ା (୬୧) ହୃତଘାତ ଜନିତ କାରଣରୁ ଗତ ୨୦ ତାରିଖ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ମୃତ୍ୟୁବରଣ କରିଥିଲେ । ମା’ର ମୃତ୍ୟୁ ଖବର ଶୁଣି ତାଙ୍କ ବଡ଼ ପୁଅ ବାଦଲ ଧଡ଼ା (୪୬), ଯିଏ ତାମିଲନାଡୁ କାମ କରିବା ପାଇଁ ଯାଇଥିଲେ,ନିଜ ସ୍ତ୍ରୀଙ୍କ ସହିତ ସାଲିମାର ଏକ୍ସପ୍ରେସ ଟ୍ରେନରେ ଘରକୁ ଫେରୁଥିଲେ । ଗତ ୨୧ ତାରିଖରେ ଟ୍ରେନଟି ବିଜୟୱାଡ଼ା ରେଳୱେ ଷ୍ଟେସନରେ ଛିଡା ହେବାରୁ ବାଦଲ ପାଣି ବୋତଲ ଧରି ପାଣି ଆଣିବା ପାଇଁ ଷ୍ଟେସନକୁ ଓହ୍ଲାଇ ଥିଲେ । ସେ ପାଣି ଭରୁଥିବା ସମୟରେ ହଠାତ ଟ୍ରେନ ଛାଡ଼ି ଦେଇଥିଲା । ବାଦଲ ଟ୍ରେନରେ ଚଢ଼ି ପାରିନଥିଲେ ଏବଂ ବିଜୟୱାଡ଼ା ଷ୍ଟେସନରେ ରହିଯାଇଥିଲେ। ସେ ଧଳା ସାର୍ଟ, କଳା ଫୁଲ ପ୍ୟାଣ୍ଟ ଓ ଏକ ଲାଲି ରଙ୍ଗର ଗାମୁଛା କାନ୍ଧରେ ପକାଇଥିଲେ । ତାଙ୍କ ସ୍ତ୍ରୀ ସୁରକ୍ଷିତ ଭାବରେ ଘରେ ପହଞ୍ଚିଥିବା ବେଳେ ବାଦଲ ଆଜକୁ ୧୧ ଦିନ ହେବ ଘରକୁ ଫେରିନାହାଁନ୍ତି । ଏପଟେ ମା’ ଆରପାରିକୁ ଚାଲିଯାଇଥିବା ବେଳେ ସେପଟେ ପୁଅ ନିଖୋଜ ଥିବାରୁ ପରିବାର ସମେତ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ମଧ୍ୟ ବାଦଲଙ୍କ କୌଣସି ପତ୍ତା ମିଳିନାହିଁ ।
