କଟକ : ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ହେଉଛି। ଏଣୁ ଆଗକୁ, କାମଧନ୍ଦା ନିମନ୍ତେ ଓଡ଼ିଶାରୁ ଯୁବକ ଅନ୍ୟ ରାଜ୍ୟକୁ ପ୍ରବାସ କରିବେ ନାହିଁ ବରଂ ନିଯୁକ୍ତି ନିମନ୍ତେ ଅନ୍ୟରାଜ୍ୟରୁ ଯୁବକ ଏଠାକୁ ଆସିବେ ବୋଲି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ର ଶୁଭ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ବୁଧବାର, ଏହି ପେଜ୍ଇଣ୍ଡଷ୍ଟ୍ରିଜ୍ର ଆଉ ଗୋଟିଏ ୟୁନିଟ୍ ର ଭୂଇଁପୁର ଠାରେ ଶିଳାନ୍ୟାସ କରାଯାଇଛି । ୨୫୮ କୋଟି ଟଙ୍କା ବିନିଯୋଗରେ ଏହାର ଭୂଇଁପୁର ୟୁନିଟ୍ରେ ୩୫୦୦ ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ ଆଜି ଭୂଇଁପୁର ଠାରେ ମଧ୍ୟ ଏମ୍ଏଏସ୍ ଇଣ୍ଡିଆ କ୍ଲଥିଂ ପ୍ରା ଲିଃର କାରଖାନର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବୟନ ଓ ପୋଷାକ ଶିଳ୍ପ ଉପରେ ଫୋକସ୍ ରଖିଛନ୍ତି ।

ଏହି କ୍ଷେତ୍ରରେ କମ୍ ପୁଞ୍ଜି ବିନିଯୋଗରେ ଅଧିକ ନିଯୁକ୍ତି ଅବସର ମିଳିଥାଏ । ବିଶେଷକରି ମହିଳାମାନଙ୍କୁ ଅଧିକ ନିଯୁକ୍ତି ମିଳେ । ନିଯୁକ୍ତି ଓ ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ନୂଆ ନୂଆ ଆପାରେଲ୍ ଇଣ୍ଡଷ୍ଟ୍ରି ସ୍ଥାପନ କରୁଛନ୍ତି । ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସଂଖ୍ୟାରେ ଟେକ୍ସଟାଇଲ ଓ ଆପାରେଲ୍ ଉଦ୍ୟୋଗ ପ୍ରତିଷ୍ଠା କରାଯାଉଛି । ଗତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଟେକ୍ସଟାଇଲ ସମିତ୍ ହୋଇଥିଲା । ପ୍ରାୟ ୭୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଥିଲା । ଏହିସବୁ ପ୍ରସ୍ତାବ ଗୁଡ଼ିକ ଏବେ ଦୃତ ଗତିରେ କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ କହିଥିଲେ ଯେ, ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି ଓଡ଼ିଶାର ଶିଳ୍ପ ବିକାଶରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଆମର ଦକ୍ଷ ମାନବ ସମ୍ବଳ ପାଇଁ ରାଜ୍ୟରେ ପୁଞ୍ଜି ନିବେଶ ଅନେକ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ, ପେଜ୍ ଇଣ୍ଡଷ୍ଟ୍ରିଜ୍?ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଭି.ଏସ୍. ଗଣେଶ୍ ଓ ନିର୍ବାହୀ ନିର୍ଦ୍ଦେଶକ କେ ଶ୍ରୀନିବାସନ୍ ପ୍ରମୁଖ ଉପସ୍ଥିତ ଥିଲେ ।
