ପାରାଦୀପ/କୁଜଙ୍ଗ : କୁଜଙ୍ଗ ଠାରେ ଗୁରୁବାର ଦିନ ଆୟୋଜିତ “ଦିବ୍ୟାଙ୍ଗଜନଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ ସମାରୋହ ଶିବିର”ରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ (ଆଇଓସିଏଲ), ପାରାଦ୍ୱୀପ ରିଫାଇନେରୀର ସିଏସ୍ଆର ଫଣ୍ଡ୍ ସହାୟତାରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କୁ ବ୍ୟାଟେରୀ ଚାଳିତ ଇ-ରିକ୍ସା ବଣ୍ଟନ କରିଥିଲେ। ଏହାଦ୍ୱାରା ସେମାନଙ୍କ ଦୈନନ୍ଦିନ ଚଳଣି ଓ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ଏବଂ ଏହା ସେମାନଙ୍କୁ ସଶକ୍ତ ତଥା ସ୍ୱାବଲମ୍ବୀ କରିବାରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ଇ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ଆଇଓସିଏଲ ପାରାଦୀପ ରିଫାଇନେରୀ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) କୌଶିକ ବସୁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଦିବ୍ୟାଙ୍ଗମାନେ ହେଉଛନ୍ତି ଅସାଧାରଣ ପ୍ରତିଭାର ଅଧିକାରୀ ସେମାନଙ୍କର ପ୍ରତିଭା କୌଣସି ଗୁଣରେ କମ୍ ନୁହେଁ । ଦିବ୍ୟାଙ୍ଗଙ୍କର ଉନ୍ନତି ପାଇଁ କାର୍ଯ୍ୟକରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଆମେ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
