ବାରିପଦା: ମଙ୍ଗଳବାର ଦିନ କାଳବୈଶାଖୀ ଘୁର୍ଣ୍ଣିଝଡ଼ ସହ କୁଆ ପଥର ମାଡରେ ଠାକୁରମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ , ଜରକ ଗ୍ରାମ ର ବାଫାଲ ସାହି, ଜରକ, ଖୁଦିଶିଳା ଗ୍ରାମ, ମହୁଲଡ଼ିହା ଗ୍ରାମପଞ୍ଚାୟତ ଜମୁନାଳିଆ ଗ୍ରାମ ରେ ଏହାର ପ୍ରଭାବରେ ବ୍ୟାପକ କ୍ଷତି ହୋଇଥିଲା।କୁଆ ପଥର ମାଡ଼ ଓ ପବନ ଯୋଗୁଁ ଜମୁନାଳିଆ ,ଜରକ,ଖୁଦିଶିଳା,ମହୁଲଡ଼ିହା, ସାତକୋଶିଆ, ଖୁମଠାଣ,ଗୌଡ଼ିଆବାହାଳି,ଘଣ୍ଟିଆଦର, ଗମ୍ଭାରୀଆ, ଭରାଣ୍ଡିହା ପ୍ରଭୁତି ଗ୍ରାମ ଗୁଡିକରେ ପନିପରିବା ଓ ଧାନ ଫସଲ ସହ ତରଭୁଜ ଚାଷ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି।କ୍ଷତିଗ୍ରସ୍ତ ଗ୍ରାମଗୁଡିକୁ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ , ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ଠାକୁରମୁଣ୍ଡା ବିଡ଼ିଓ ସ୍ୱପ୍ନେଶ୍ୱର ବେହେରା,ତହସିଲଦାର ସମ୍ବିତ କୁମାର କର ଗ୍ରାମଗୁଡିକୁ ଯାଇ ପରିଦର୍ଶନ କରି ଥିଲେ।ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ କାଟି ସଫା କରିଥିଲେ। ଝଡବର୍ଷା ପରେ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସ୍ଥାନୀୟ ବିଧାୟକ ପଦ୍ମଚରଣ ହାଇବୁରୁ କ୍ଷତିଗ୍ରସ୍ତ ଗ୍ରାମ ପରିଦର୍ଶନ କରିଥିଲେ।ରାଜସ୍ୱ ବିଭାଗ ପକ୍ଷରୁ ରାଜସ୍ୱ ନିରୀକ୍ଷକ ମାନେ ଗ୍ରାମ ଗୁଡିକୁ ଯାଇ କ୍ଷୟକ୍ଷତି ଅକୋଳନ କରିଥିଲେ। ଆଜି ପର୍ଯ୍ୟନ୍ତ ଆସିଥିବା ରାଜସ୍ୱ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୩ ଟି ଘର ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ୬୧ ଗୋଟି ଘର ଆଂଶିକ ଓ ୨ ଟି ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଥିବା ର ପ୍ରକାଶ ।
