ନୂଆଦିଲ୍ଲୀ : କମାଲ କରିଛନ୍ତି ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। କ୍ରିକେଟ ଇତିହାସରେ ସେ ପ୍ରଥମ ଥର ମଙ୍ଗଳବାର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ସାମ୍ନା କରିଥିଲେ। ବୁମ୍ରାଙ୍କୁ ବଡ଼ବଡ଼ ବ୍ୟାଟର ଭୟ କରୁଥିବା ବେଳେ ସୂର୍ଯ୍ୟବଂଶୀ କିନ୍ତୁ ତାଙ୍କୁ ବେଧଡ଼କ ଅନ୍ଦାଜରେ ପ୍ରହାର କରିଛନ୍ତି। ସୂର୍ଯ୍ୟବଂଶୀ ପ୍ରଥମଥର ବୁମ୍ରାଙ୍କୁ ସାମ୍ନା କରୁଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ସେ ବୁମ୍ରାଙ୍କ ପ୍ରଥମ ବଲରେ ଛକା ମାରି ସମସ୍ତଙ୍କୁ ଚକିତ କରିଛନ୍ତି। ସେହିପରି ୨ଟି ବଲ ପରେ ସେ ସମାନ ଓଭରରେ ବୁମ୍ରାଙ୍କୁ ଆଉ ଗୋଟିଏ ଛକା ମଧ୍ୟ ମାରିଥିଲେ। କେବଳ ବୁମ୍ରା ନୁହନ୍ତି, ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ ଖେଳୁଥିବା ସୂର୍ଯ୍ୟବଂଶୀମଙ୍ଗଳବାର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଛନ୍ତି। ତାଙ୍କ ଓପନିଂ ଯୋଡ଼ି ଯଶସ୍ୱୀ ଜୈସୱାଲ ମଧ୍ୟ ବିସ୍ଫୋରକ ଇନିଂସ ଖେଳିଛନ୍ତି। ଉଭୟ ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଧଜିଆ ଉଡ଼ାଇ ଦେଇଛନ୍ତି। ବର୍ଷା ଯୋଗୁ ୧୧ ଓଭର ବିଶିଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ୩ ୱିକେଟ ହରାଇ ୧୫୦ ରନ କରିଥିଲା। ଯଶସ୍ୱୀ ୨୧ ବଲରେ ଅପରାଜିତ ୭୭ ଓ ସୂର୍ଯ୍ୟବଂଶୀ ୧୪ ବଲରେ ୩୯ ରନର ଇନିଂସ ଖେଳିଥିଲେ। ଉଭୟ ୯ଟି ଛକା ମାରିଥିବା ବେଳେ ପ୍ରଥମ ୫ ଓଭରରେ ୮୨ ରନ ଦଳ ପାଇଁ ଯୋଡ଼ିଥିଲେ। ଏହାର ଜବାବରେ ମୁମ୍ବାଇ ୧୧ ଓଭରରେ ୯ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା। ରାଜସ୍ଥାନ ୨୭ ରନରେ ମ୍ୟାଚ୍ ଜିତି ଟେବୁଲ ଟପର ହୋଇ ଯାଇଛି। ତେବେ ସୂର୍ଯ୍ୟବଂଶୀ ମଙ୍ଗଳବାର ମ୍ୟାଚ୍ରେ ମୋଟ ୫ଟି ଛକା ମାରିଛନ୍ତି। ଏହା ମଧ୍ୟରୁ ୨ଟି ବୁମ୍ରାଙ୍କ ବୋଲିଂରୁ ଆସିଥିଲା। ଏହି ୫ ଛକା ମାରିବା ପରେ ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ଗୋଟିଏ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଈଶାନ କିଶନ ଓ ଋଷଭ ପନ୍ତଙ୍କ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଉଭୟ ୨୦ ବର୍ଷ ବୟସ ହେବା ପୂର୍ବରୁ ଆଇପିଏଲରେ ସର୍ବାଧିକ ୩୦ଟି ଲେଖାଏ ଛକା ମାରିଥିଲେ। କିନ୍ତୁ ୧୫ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ଆଇପିଏଲ ଛକା ସଂଖ୍ୟା ୩୫ରେ ପହଞ୍ଚି ଯାଇଛି। ସେ ପ୍ରଥମ କିଶୋର ଭାବେ ଆଇପିଏଲ ଇତିହାସରେ ୩୦ରୁ ଅଧିକ ଛକା ମାରିବାକୁ ସକ୍ଷମ ହୋଇଛନ୍ତି।
