ପୁରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରର ଯୋଗାବିଜ୍ଞାନ ଓ ଆଧ୍ୟାତ୍ମିକ ବିଦ୍ୟାଶାଖା ପକ୍ଷରୁ ‘ଭାଷା ବିଜ୍ଞାନରେ ସଂସ୍କୃତ ଓ ଜଗନ୍ନାଥ’ ଶୀର୍ଷକ ଏକ ବିଶିଷ୍ଟ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ଭାଷା, ସଂସ୍କୃତି ଓ ଆଧ୍ୟାତ୍ମିକତା ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରାଯାଇଥିଲା।?ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୋଗଗୁରୁ ଶ୍ରୀଯୁକ୍ତ ଅକ୍ଷୟ କୁମାର ଗ୍ରହାଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ଓଜସ୍ୱିନୀ ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ସଂସ୍କୃତ ଭାଷା କେବଳ ଏକ ସମ୍ଭାଷଣର ମାଧ୍ୟମ ନୁହେଁ, ବରଂ ଏହା ଜଗନ୍ନାଥ ସଂସ୍କୃତିର ମୂଳାଧାର। ଭାଷା ବିଜ୍ଞାନ ଦୃଷ୍ଟିକୋଣରୁ ସଂସ୍କୃତ ଓ ଶ୍ରୀଜଗନ୍ନାଥ ତତ୍ତ୍ୱ ଏକ ଏବଂ ଅଭିନ୍ନ। ଶ୍ରୀଜଗନ୍ନାଥଙ୍କ ନାମ, ରୂପ ଓ ଲୀଳା ମଧ୍ୟରେ ନିହିତ ଥିବା ଧ୍ୱନି ବିଜ୍ଞାନ ମାନବ ଜୀବନକୁ ଆଧ୍ୟାତ୍ମିକ ଶୃଙ୍ଖଳା ପ୍ରଦାନ କରେ ବୋଲି ସେ ମତବ୍ୟକ୍ତ କରିଥିଲେ।
?କାର୍ଯ୍ୟକ୍ରମର ପ୍ରାରମ୍ଭରେ ପରିସରର ଯୋଗ ଅଧ୍ୟାପକ ଡକ୍ଟର ପ୍ରେମ ପ୍ରକାଶ ପାଣ୍ଡେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ପରିସରର ସହଯୋଗୀ ନିର୍ଦ୍ଦେଶକ ପ୍ରଫେସର ବିଜୟିପାଲ କଚ୍ଛୱା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ବ୍ୟାଖ୍ୟାନର ଲାଭ ଉଠାଇଥିଲେ।
