ବାରିପଦା ; ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ମିଳିଛି ଏକ ଐତିହାସିକ ସଫଳତା। ଦୀର୍ଘ ଦିନର ନିରନ୍ତର ନଜରଦାରୀ ଓ ବନ୍ଦୀଶାଳାର ସୀମା ଭିତରୁ ଏବେ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛି ବାଘୁଣୀ ଜିନ୍ନତ। ଖୁବଶୀଘ୍ର ତା ବେକରୁ କାଢ଼ି ନିଆଯିବ ଟ୍ରାକିଂ ପାଇଁ ଲାଗିଥିବା ରେଡିଓ କଲର। ଏହା ସହିତ ସେ ଶିମିଳିପାଳର ଘଞ୍ଚ ଅରଣ୍ୟରେ ନିଜ ଛୁଆମାନଙ୍କ ସହ ପୂରା ସ୍ୱଚ୍ଛନ୍ଦରେ ବିଚରଣ କରିବ। ବଂଶବୃଦ୍ଧି ତଥା ରକ୍ତ ସମ୍ପର୍କର ବିବିଧତା ଆଣିବା ଲକ୍ଷ୍ୟରେ ଜିନ୍ନତ କୁ ମହାରାଷ୍ଟ୍ରର ପ୍ରସିଦ୍ଧ ତାଡ଼ୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିଲା। ନୂତନ ପରିବେଶକୁ ଆପଣେଇବା ସହ ଜିନ୍ନତ ସଫଳତାର ସହ ଶାବକ ଜନ୍ମ ଦେଇ ଶିମିଳିପାଳରେ ନିଜର ଦୃଢ଼ ଉପସ୍ଥିତି ଜାହିର କରିଛି। ତା ର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିବା ଏବଂ ଜଙ୍ଗଲରେ ନିଜକୁ ସମ୍ପୂର୍ଣ୍ଣ ଖାପଖୁଆଇ ନେବା ପରେ ବନ ବିଭାଗ ପକ୍ଷରୁ ଏହି ରେଡିଓ କଲର ହଟାଇବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି, ଯାହା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଅଭିଯାନକୁ ଏକ ନୂଆ ଦିଗ ଓ ଉତ୍ସାହ ପ୍ରଦାନ କରିଛି।
