ଖପ୍ରାଖୋଲ: ବାରହା ଶିକାର ପାଇଁ ଜମିରେ ବିଛାଯାଉଥିବା ବିଦ୍ୟୁତ ଫାସ ଏବେ ଜଙ୍ଗଲୀ ଜୀବଙ୍କ ପାଇଁ ନୁହେଁ, ମଣିଷଙ୍କ ଜୀବନ ପାଇଁ ମଧ୍ୟ ଘାତକ ଫାନ୍ଦ ପାଲଟିଛି। ଶିକାରୀଙ୍କ ଲୋଭର ଶିକାର ହେଉଛନ୍ତି ନିରୀହ ଲୋକ। ଏଭଳି ଏକ ଭୟାବହ ଘଟଣା ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଫୁଲକିମୁଣ୍ଡା ଗ୍ରାମରେ ଘଟିଛି। ସୂଚନା ଅନୁଯାୟୀ, ଫୁଲକିମୁଣ୍ଡା ଗ୍ରାମର ଲୋକନାଥ ମାଝୀ ନିଜ ସାଙ୍ଗଙ୍କ ସହ ଶୌଚ ପାଇଁ ଜମି ଆଡ଼କୁ ଯାଉଥିବା ସମୟରେ ଜମିରେ ବିଛାଯାଇଥିବା ବିଦ୍ୟୁତ ତାର ଫାସରେ ପଡ଼ି ଯାଇଥିଲେ। ବାରହା ଶିକାର ପାଇଁ କେହି ଦୁର୍ବୃତ୍ତ ଏହି ମାରାତ୍ମକ ବିଦ୍ୟୁତ ଫାସ ବିଛାଇଥିବା ଅଭିଯୋଗ ହୋଇଛି।ଫାସରେ ପଡ଼ି ଲୋକନାଥ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଲୋକନାଥ ମାଝୀ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ବାରହା ଶିକାର ପାଇଁ ଜମିରେ ବିଦ୍ୟୁତ ତାର ବିଛାଇବା କେବଳ ବନ୍ୟଜନ୍ତୁ ଶିକାର ନୁହେଁ, ଏହା ମଣିଷର ଜୀବନକୁ ମଧ୍ୟ ମୃତ୍ୟୁମୁଖକୁ ଠେଲିଦେଉଥିବା ଏକ ଭୟଙ୍କର ଅପରାଧ। ରାତିର ଅନ୍ଧାରରେ ଜମିରେ ଲୁଚାଇ ରଖାଯାଉଥିବା ଏହି ମୃତ୍ୟୁର ଫାସ ଲୋକଙ୍କ ଜୀବନ ମଧ୍ୟ ନେଉଛି। ଶିକାରୀଙ୍କ ଅବିବେକୀ କାର୍ଯ୍ୟ ପାଇଁ ଯଦି ଜଣେ ନିରୀହ ମଣିଷର ଜୀବନ ଚାଲିଯାଏ, ତେବେ ଏହାର ଦାୟିତ୍ୱ କିଏ ନେବ? ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ନିୟମ ଥିବା ସତ୍ତ୍ୱେ ଯଦି ଖୋଲାଖୋଲି ବିଦ୍ୟୁତ ଫାସ ବିଛାଇ ଶିକାର ଚାଲିଥାଏ, ତେବେ ନିରୀହ ଲୋକଙ୍କ ସୁରକ୍ଷା କେଉଁଠି ? ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଇନର କଠୋର ଧାରାରେ କାର୍ଯ୍ୟାନୁଷ୍ଠାନ ସହ ଏଭଳି ମୃତ୍ୟୁର ଫାସ ବିଛାଇବାକୁ ରୋକିବା ପାଇଁ ପୁଲିସ ଓ ବନ ବିଭାଗର ତତ୍ପରତା ଜରୁରୀ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ବାରହା ଶିକାରର ଲୋଭରେ ମଣିଷ ଜୀବନକୁ ବିପଦରେ ପକାଉଥିବା ଏଭଳି ମୃତ୍ୟୁଫାସ ବିରୋଧରେ ପ୍ରଶାସନ କେବେ କଠୋର ପଦକ୍ଷେପ ନେବ—ଏବେ ତାହା ହିଁ ବଡ଼ ପ୍ରଶ୍ନ।
