ଖପ୍ରାଖୋଲ: ବିକାଶର ନାଁରେ ରାସ୍ତା ତିଆରି ହେଉଛି, କିନ୍ତୁ ରାସ୍ତାର ଆୟୁଷ ଯଦି ମାସେ ବି ନୁହେଁ, ତେବେ ଏହାକୁ ବିକାଶ କୁହାଯିବ ନା ସରକାରୀ ଅର୍ଥର ଅପଚୟ ଏଭଳି ଏକ ଗୁରୁତର ପ୍ରଶ୍ନ ଏବେ ଖପ୍ରାଖୋଲ ଅଞ୍ଚଳବାସୀଙ୍କ ମନରେ ଉଠିଛି। ଖପ୍ରାଖୋଲ ବ୍ଲକର ପିଏସ୍ ରାସ୍ତାରୁ ଭରୁଆମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତା ଗତ ଜୁନ୍ ମାସରେ ନୂତନ ଭାବେ ନିର୍ମାଣ ହୋଇଥିଲା। କିନ୍ତୁ ରାସ୍ତା ନିର୍ମାଣର ମାସେ ନପୂରୁଣୁ ପିଚୁ ଉଠିଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏନେଇ ଗତ ୩୦ ତାରିଖରେ ‘ଅମୃତଦୁନିଆ’ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ମଧ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ରାସ୍ତାର ମାନ ଯାଞ୍ଚ କରିବା କିମ୍ବା ନିର୍ମାଣକାର୍ଯ୍ୟର ତଦାରଖ କରିବା ଦୂରର କଥା, ଯେପରି ଘଟଣାଟି ତାଙ୍କ କାନରେ ପହଞ୍ଚିନାହିଁ—ଏଭଳି ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ। ଆହୁରି ଆଶ୍ଚର୍ଯ୍ୟର କଥା, ଖବର ପ୍ରକାଶ ପରେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କ ପକ୍ଷରୁ ରାସ୍ତାର ତ୍ରୁଟି ସୁଧାରିବା ନେଇ କୌଣସି ତତ୍ପରତା ଦେଖାଯାଇନଥିବା ଅଭିଯୋଗ ହେଉଛି। ତେବେ ପ୍ରଶ୍ନ ଉଠୁଛି—ସରକାରୀ ଅର୍ଥରେ ନିର୍ମିତ ରାସ୍ତାର ଗୁଣବତ୍ତା ଯାଞ୍ଚ କରିବା କାହାର ଦାୟିତ୍ୱ? ଠିକାଦାରଙ୍କ କାମ ଉପରେ ବିଭାଗୀୟ ନଜରଦାରୀ କେଉଁଠି ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ରାସ୍ତାରେ ବେନ୍ଦେର ପଞ୍ଚାୟତ ଲୋକଙ୍କ ପାଇଁ ପିଡିଏସ୍? ଚାଉଳ ବୋଝେଇ ଯାଉଥିବା ଏକ ଟ୍ରାକ୍ଟର ରାସ୍ତାର ମଝିଭାଗରେ ଭାସିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ସୂଚନା ମିଳିଛି। ପ୍ରାୟ ୭୦ରୁ ୮୦ ପ୍ୟାକେଟ ଚାଉଳ ବୋଝେଇ ଏକ ଟ୍ରାକ୍ଟରର ଭାର ସମ୍ଭାଳି ପାରୁନଥିବା ରାସ୍ତାର ଅବସ୍ଥା ଯଦି ଏଭଳି, ତେବେ ଆଗାମୀ ଦିନରେ ଭାରୀ ଟ୍ରକ୍? ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କଲେ ରାସ୍ତାର ଅବସ୍ଥା କଣ ହେବ—ସେନେଇ ସାଧାରଣ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ମାସେ ନପୂରୁଣୁ ପିଚୁ ଉଠିଲା, ଖବର ପ୍ରକାଶ ପରେ ବି ଅଧିକାରୀଙ୍କ ନଜର ପଡ଼ିଲା ନାହିଁ, ଏବେ ଟ୍ରାକ୍ଟର ଭାସିଗଲା—ତଥାପି କାହିଁକି ନିରବତା? ଏହି ପ୍ରଶ୍ନ ଏବେ ଜନସାଧାରଣଙ୍କ ମଧ୍ୟରେ ଜୋର ଧରିଛି। ବିଭାଗୀୟ ଅଧିକାରୀଙ୍କ ଏଭଳି ନିରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ ଟଙ୍କାରେ ନିର୍ମିତ ରାସ୍ତାର ଗୁଣବତ୍ତା ନିଶ୍ଚିତ କରିବା ଯଦି ବିଭାଗର ଦାୟିତ୍ୱ, ତେବେ ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଯଦି ତଦନ୍ତ ହେଉନାହିଁ, ତେବେ ଅଧିକାରୀମାନେ କେବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବେଏହି ରାସ୍ତାର ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, କେଉଁ ମାନଦଣ୍ଡରେ କାମ ହୋଇଛି, ନିର୍ମାଣ ପୂର୍ବରୁ ଓ ପରେ ଗୁଣବତ୍ତା ଯାଞ୍ଚ ହୋଇଥିଲା କି ନାହିଁ ଏବଂ ଏତେ କମ୍ ସମୟ ମଧ୍ୟରେ ପିଚୁ ଉଠିବାର ପ୍ରକୃତ କାରଣ କଣ—ଏସବୁର ନିରପେକ୍ଷ ତଦନ୍ତ ହେବା ଜରୁରୀ। ନଚେତ ଆଜି ରାସ୍ତା ଭାସିଛି, କାଲି ଏହି ଅବହେଳା କାହାର ଜୀବନ ନେବ, ତାହା କହିହେବ ନାହିଁ। ରାସ୍ତା ଲୋକଙ୍କ ସୁବିଧା ପାଇଁ ନା ଠିକାଦାରଙ୍କ ସୁବିଧା ପାଇଁ ଏବେ ବିଭାଗୀୟ ଅଧିକାରୀମାନେ ଏହାର ଜବାବ ଦେବା ସହ ତୁରନ୍ତ ରାସ୍ତାର ଗୁଣବତ୍ତା ଯାଞ୍ଚ କରି ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି
