ପାଟନା: ମଙ୍ଗଳବାର ଦିନ ବିହାରର ନାଳନ୍ଦା ଜିଲ୍ଲାର ମାଘରା ଗ୍ରାମର ଶୀତଳା ମାତା ମନ୍ଦିରରେ ଦଳାଚକଟା ଘଟିବା ପରେ ଅତି କମରେ ୮ ଜଣ ମହିଳା ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ ଏବଂ ଭିଡ଼ ବୃଦ୍ଧି ପାଇବା ଫଳରେ ଦଳାଚକଟା ଘଟିଥିଲା। ଉଦ୍ଧାର ହୋଇଥିବା ଭକ୍ତମାନେ ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନର ବିଫଳତାକୁ ଦାୟୀ କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମନ୍ଦିର ପରିସରରେ ଅତ୍ୟଧିକ ଭିଡ଼ ଯୋଗୁଁ ଏକ ଅରାଜକତାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା, ଶେଷରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ଦଳାଚକଟା ହୋଇଥିଲା। ଅଧା ଡଜନରୁ ଅଧିକ ଆହତ ଭକ୍ତଙ୍କୁ ଚିକିତ୍ସା ପାଇଁ ବିହାର ଶରିଫସ୍ଥିତ ମଡେଲ ହସ୍ପିଟାଲକୁ ପଠାଯାଇଥିଲା। ଏହି ଦୁର୍ଘଟଣା ବିଷୟରେ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିବା ପରେ, ବାସିନ୍ଦାଙ୍କ ସହାୟତାରେ ପୋଲିସ କର୍ମଚାରୀମାନେ ତୁରନ୍ତ ମନ୍ଦିରରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ମିଳିଥିବା ଫୁଟେଜରୁ ଜଣାପଡିଛି ଯେ ଅଧିକାରୀମାନେ ପରିସ୍ଥିତିକୁ ପରିଚାଳନା କରିବା ପାଇଁ କାମ କରୁଥିବା ସମୟରେ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭିଡ଼ ଜମା ହୋଇଥିଲା। ବିହାର ସରିଫ ସହାୟକ ପୋଲିସ ଅଧୀକ୍ଷକ ନୁରୁଲ ହକ୍ କହିଛନ୍ତି, “ମଙ୍ଗଳବାର ସକାଳେ ଶୀତଳା ମାତା ମନ୍ଦିରରେ ଦଳାଚକଟାରେ ଅତି କମରେ ୮ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା ପ୍ରଶାସନର ପୋଲିସ କର୍ମଚାରୀ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦଳାଚକଟାରେ ଭକ୍ତଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଆର୍ôଥକ ସହାୟତା ଘୋଷଣା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଚିଠି ଅନୁଯାୟୀ, ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ୪ ଲକ୍ଷ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅତିରିକ୍ତ ୨ ଲକ୍ଷ ଟଙ୍କା, ଏପରି ଭାବେ ପ୍ରତି ପରିବାରକୁ ମୋଟ କ୍ଷତିପୂରଣ ୬ ଲକ୍ଷ ଟଙ୍କା ମଳିବ। ସରକାର କହିଛନ୍ତି ଯେ ନାଳନ୍ଦାରେ ଘଟିଥିବା ଘଟଣାର ପରିସ୍ଥିତି ସମୀକ୍ଷା କରିବା ପାଇଁ କର୍ତ୍ତୃପକ୍ଷମାନେ ଜାରି ରଖିଥିବାରୁ ପ୍ରଭାବିତ ପରିବାରକୁ ସମର୍ଥନ କରିବା ପାଇଁ ଏହି ସହାୟତା ଉଦ୍ଦିଷ୍ଟ।
